ଆନ୍ତଃ ଜିଲ୍ଲା ଆଲୁମିନିୟମ ତାର ଚୋର ଗିରଫ, ସହଯୋଗୀଙ୍କୁ ଖୋଜୁଛି ପୋଲିସ
ଝାରସୁଗୁଡ଼ା: ବରଗଡ଼, ସମ୍ବଲପୁର ଓ ସୋନପୁରରୁ ଆଲୁମିନିୟମ୍ ଇଲେକ୍ଟ୍ରିକ୍ ତାର ଡକାୟତି ଘଟଣାରେ ଦୁଇ ଜଣ ଗିରଫ। ମଙ୍ଗଳବାର ବ୍ରଜରାଜନଗର ପୁଲିସ ଏହି ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ସମ୍ବଲପୁର ଜିଲ୍ଲା କୋଲପଡା ମିରଗାମୁଣ୍ଡାର ପ୍ରଶାନ୍ତ ମିର୍ଦ୍ଧା ଓରଫ କାଳିଆ (୩୫) ଏବଂ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁରର ସନ୍ତୋଷ ରାୟ (୪୨) ବୋଲି ଚିହ୍ନଟ କରିଛି ।
ରିପୋର୍ଟ ଅନୁୟାୟୀ, ବେଲପାହାଡ଼ର କୃଷ୍ଣଚନ୍ଦ୍ର ପଟ୍ଟନାୟକ ନାମକ ବ୍ୟକ୍ତି ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ଘରୁ ଆଲୁମିନିୟମ ତାର ଚୋରି ହୋଇଥିଲା । ପରେ ଏତଲାକୁ ଆଧାର କରି ବ୍ରଜରାଜନଗର ପୁଲିସ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା ଯେ ସନ୍ତୋଷ ରାୟ ଓ ତାଙ୍କ ଭାଇ ଦିଲ୍ଲୀପ ରାୟ ସୁରେଶନ୍ ଭୋଇ ନାମକ ବ୍ୟକ୍ତିଙ୍କ ସହ ମିଶି ଏକ ଗ୍ୟାଙ୍ଗ ଗଠନ କରିଛନ୍ତି। ଆଉ ଗିରଫ ଅଭିଯୁକ୍ତ ଦୁଇ ଜଣ ଏବଂ ଅନ୍ୟମାନେ ମିଶି ଝାରସୁଗୁଡ଼ା, ବରଗଡ,ସମ୍ବଲପୁର ଏବଂ ସୋନପୁରରୁ ଆଲୁମିନିୟମ ବିଦ୍ୟୁତ ତାର ଚୋରି କରିଥିଲେ।
ଜୁନ୍ ୧୬ ରାତିରେ ଅଭିଯୁକ୍ତ ଦିଲ୍ଲୀପ ରାୟ, ସୁରେଶନ ଭୋଇ, ପ୍ରଶାନ୍ତ ମିର୍ଦ୍ଧା, ରିତେଶ ସିଂ ଓ ଅବିନାଶ ଏକ ଟାଟା ହେରିୟର ନଂ। (OD 15T 6709) ଓ ଅଶୋକ ଲେଲ୍ୟାଣ୍ଡ ଯାନ (OD 15 N 2769) ନେଇ ଆସି ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିବା ସହ ଜୋର ଜବରଦସ୍ତ ମୋବାଇଲ ଛଡ଼ାଇ ନେଇଥିଲେ। ପରେ ଏମାନେ ସିକ୍ୟୁରିଟି ଗାର୍ଡଙ୍କୁ ଗାଳିଗୁଲଜ କରିବା ସହ ହାତଗୋଡ଼ ବାନ୍ଧି ଆଲୁମିନିୟମ ବିଦ୍ୟୁତ୍ ତାର ଚୋରି କରି ମୋବାଇଲ୍ ଛଡ଼ାଇ ନେଇଥିଲେ।
ବ୍ରଜରାଜନଗର ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଗୋଟିଏ ମୋବାଇଲ୍ ଫୋନ୍, ଚୋରି ହୋଇଥିବା ଆଲୁମିନିୟମ ତାରର ୪ଟି ବଣ୍ଡଲ, ମାରପିଟରେ ବ୍ୟବହୃତ ଟାଟା ହାରିୟର ଗାଡ଼ିକୁ ଜବତ କରିଛି। ଏହି ଘଟଣାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି।