ପଣ୍ଡ ହେଲା ଡକାୟତି ଯୋଜନା, ଗିରଫ ହେଲେ ଦୁଇ ଲୁଟେରା

ଝାରସୁଗୁଡା: ଲୁଟ୍ କରିବାକୁ ଯୋଜନା କରୁଥିଲେ। ହେଲେ ଆଗୁଆ ଜାଣିନେଲା ପୋଲିସ। ଶନିବାର ବ୍ରଜରାଜନଗର ପୁଲିସ ଡକାୟତି ଉଦ୍ୟମକୁ ପଣ୍ଡ କରି ଦୁଇ ଜଣ ଦୁର୍ବୃତ୍ତଙ୍କୁ କାବୁ କରିଛି। ବିଳମ୍ବିତ ରାତିରେ ନିକଟସ୍ଥ ପେଟ୍ରୋଲ ପମ୍ପରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଡକାୟତ ଗୋଷ୍ଠୀ।
ଗିରଫ ଅଭିଯୁକ୍ତଙ୍କ ନାମ ଉମେଶ କୁମାର ଯାଦବ ଓରଫ ଭାଇଜାନ (38) ଏବଂ ଘନଶ୍ୟାମ ସାହୁ ଓରଫ ଘନସୁ (35)। ଉଭୟଙ୍କ ଘର ବ୍ରଜରାଜନଗର ଅଞ୍ଚଳର। ରିପୋର୍ଟ ଅନୁଯାୟୀ, ରାତିରେ ପାଟ୍ରୋଲିଂ କରିବା ସମୟରେ ବ୍ରଜଜନଗର ପୋଲିସ କୁଖ୍ୟାତ ଅପରାଧୀ ଉମେଶ ଯାଦବ ସହଯୋଗୀଙ୍କ ସହ ମିଶି ଏମସିଏଲ ପାଣି ପମ୍ପ ପଛପଟେ ଛକିଥିଲା। ସାଙ୍ଗରେ ଅସ୍ତ୍ରଶସ୍ତ୍ରରେ ରଖିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପରେ ଘଟଣାସ୍ଥଳକୁ ପୋଲିସ ଯାଇଥିଲା। ପରେ ଅତର୍କିତ ଚଢାଉ କରିଥିଲାବେଳେ ପୋଲିସ ହାତରେ ପଡିଥିଲା ଅପରାଧୀ ଉମେଶ ଯାଦବ ଏବଂ ଘନଶ୍ୟାମ ସାହୁ । ଅନ୍ୟମାନେ ଖସି ପଳାଇବାରେ ସଫଳ ହୋଇଥିଲେ । ଏହି ଚଢାଉ ବେଳେ ପୋଲିସ ଟିମ୍ ଉପରେ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ ଅପରାଧୀ ଗୋଷ୍ଠୀ। ହେଲେ କେହି ଆହତ ହୋଇନାହାଁନ୍ତି। ତେବେ ଘନଶ୍ୟାମ ଓ ଉମେଶକୁ କାବୁ କରିବାକୁ ଦୀର୍ଘ ସମୟ ପୋଲିସକୁ ନାକେଦମ ହେବାକୁ ପଡିଥିଲା ବୋଲି ସୂଚନା ମିଳିଛି ।
ପୁଲିସ ଚଢାଉ ବେଳେ ମାଗାଜିନ ସହ ଗୋଟିଏ 7.65 ଏମଏମ ଦେଶୀ ବନ୍ଧୁକ, ଗୋଟିଏ ଖାଲି ଗୁଳି, ଗୋଟିଏ ଭୁଜାଲି, ତିନୋଟି ମୋବାଇଲ ଫୋନ, ଦୁଇଟି ମୋଟର ସାଇକେଲ ଓଡି-23-8821 ଓ ବିଆର-04-ଏଜେ-6783, 4ଟି ଡିସ୍ପୋଜଲ ଗ୍ଲାସ ଜବତ କରିଛି। ତେବେ ଫେରାର ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି।
ପୁଲିସ ଏକ ମାମଲା ରୁଜୁ କରିବା ପରେ ଅଭିଯୁକ୍ତମାନଙ୍କ ବିରୋଧରେ ଧାରା 399 (ଡକାୟତି ପାଇଁ ପ୍ରସ୍ତୁତି), 402 (ଡକାୟତି ଉଦ୍ଦେଶ୍ୟରେ ଏକାଠି ହେବା), 307 (ହତ୍ୟା ପାଇଁ ଉଦ୍ୟମ) ଏବଂ ଅସ୍ତ୍ରଶସ୍ତ୍ର ଆଇନର ଧାରା 25 ଏବଂ 27 ଅନୁଯାୟୀ ଗିରଫ କରିଛି।