ତୃତୀୟ ଲହର: ୯ ଦିନରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଛୁଇଁଲା

ନୂଆଦିଲ୍ଲୀ: ତୃତୀୟ ଲହରର ସଂକ୍ରମଣ ବେଗକୁ ନେଇ ବିଶେଷଜ୍ଞଙ୍କ ଆକଳନ ସତ ହେବାକୁ ଯାଉଛି। ଏବେ ଯଦିଓ ଦୈନିକ ସଂକ୍ରମଣ ଏକ ଲକ୍ଷ ଉପରେ ରହିଛି ହେଲେ ଏହା ଆଗାମୀ ଦିନରେ ଚାରି ରୁ ୫ ଲକ୍ଷ ଛୁଇଁବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ । ଏକ ରିପୋର୍ଟ ଅନୁଯାୟୀ ପ୍ରଥମ ଏବଂ ଦ୍ୱିତୀୟ ଲହର ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାରରୁ ୧ ଲକ୍ଷ ଛୁଇଁବାକୁ ୯୮ ଦିନ ଏବଂ ୬୩ ଦିନ ଲାଗିଥିଲା। ହେଲେ ଏବେ ତୃତୀୟ ଲହର ବେଳେ ଏହା ମାତ୍ର ୯ ଦିନରେ ଛୁଇଁଛି।
ଗତ ଡିସେମ୍ବର ୨୯ରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୩,୧୫୯ ରହିଥିଲା। ଏବେ ଜାନୁଆରୀ ୬, ୨୦୨୨ ବେଳକୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧, ୧୬,୮୯୮ ଛୁଇଁଛି। ଏବେ ଏହା ଆହୁରି ଅଧିକ ରହିଛି । ତେଣୁ ଡିସେମ୍ବର ୨୯ ଏବଂ ଜାନୁଆରୀ ୬ ମାତ୍ର ୯ ଦିନରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାରରୁ ଆସି ୧ ଲକ୍ଷ ଛୁଇଁଛି।
ସେହିପରି ପ୍ରଥମ ଲହର ବେଳେ ଜୁନ୍ ୬, ୨୦୨୦ ବେଳେ ଦୈନିକ ୧୦ ହଜାର ସଂକ୍ରମିତ ଚିହ୍ନଟ ହେଉଥିଲେ । ଏହାପରେ କରୋନା ସଂକ୍ରମଣ ସେତେଟା ନବ୍ୟାପି ସ୍ଥିର ରହିଥିଲା। କିନ୍ତୁ ୯୮ ଦିନ ପରେ ହଠାତ୍ ଦେଶରେ ଦୈନିକ ସଂକ୍ରମଣ ସେପ୍ଟେମ୍ବର ୧୧, ୨୦୨୦ ବେଳକୁ ୯୭ ହଜାର ୬୫୫ ଚିହ୍ନଟ ହୋଇଥିଲା। ଏପରି ସ୍ଥିତିକୁ ଦେଖି ସେତେବେଳେ ବିଶେଷଜ୍ଞ ମାନେ କହିଥିଲେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯଦି ଦୀର୍ଘ ଦିନ ଧରି ଯଦି ବିଶେଷ କିଛି ନବଢିବ କିମ୍ବା କମିବ ତାହାଲେ ଏହା ଆଗାମୀ ଦିନରେ ବଡ ଘାତକ ହୋଇପାରେ । ଆଉ ପ୍ରଥମ ଲହର ବେଳେ ସମାନ କଥା ଘଟିବାରୁ ଦ୍ୱିତୀୟ ଲହର ମାରାତ୍ମକ ହୋଇଥିଲା ।
ଦ୍ୱିତୀୟ ଲହର ବେଳେ ଫେବୃଆରୀ ୨, ୨୦୨୧ରେ ଦୈନିକ ସଂକ୍ରମଣ ୧୧,୦୦୧ ଚିହ୍ନଟ ହେଉଥିଲେ । ଏପ୍ରିଲ ୬, ୨୦୨୧ ବେଳକୁ ଏହା ୧, ୧୫, ୩୧୨ ଚିହ୍ନଟ ହୋଇଥିଲେ। ଅର୍ଥାତ୍ ୬୩ ଦିନରେ ସଂକ୍ରମିତ ସଂଖ୍ୟା ୧୧ ହଜାରରୁ ଆସି ୧ ଲକ୍ଷ ଟପିିଥିଲା । ଦ୍ୱିତୀୟ ଲହର ବେଳେ ସର୍ବାଧିକ ୪ ଲକ୍ଷ ସଂକ୍ରମିତ ଏପ୍ରିଲ ୩୦ରେ ଚିହ୍ନଟ ହୋଇଥିଲେ । କିନ୍ତୁ ଏବେର ତୃତୀୟ ଲହର ଏ ସମସ୍ତ ରେକର୍ଡ ଭାଙ୍ଗିବ ବୋଲି ଜଣାପଡିଛି ।