ବିକାଶ ବନାମ ସମସ୍ୟା: ବ୍ରଜରାଜନଗରରେ ଚାଲିଛି ଜୋରଦାର ପ୍ରଚାର
ବ୍ରଜରାଜନଗର: 29ରେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ପ୍ରଚାରର ଶେଷ ଦିନ। ଏହାପରେ 31ରେ ପଡିବ ଭୋଟ୍। ଏହା ପୂର୍ବରୁ ତିନି ପ୍ରମୁଖ ରାଜନୈତିକ ଦଳ ଝାଞ୍ଝି ଖରାରେ ଝାଳ ବୁହାଉଥିବା ଦେଖିବାକୁ ମିଳିଛି। କହିବାକୁ ଗଲେ ଏବେ ରାଜ୍ୟର ସମସ୍ତ ହେବିଓ୍ୱେଟ ନେତା ବ୍ରଜରାଜନଗରରେ। ଶାସକ ଦଳ ବିଜେଡି ନବୀନ ସରକାରର ବିକାଶର ବାର୍ତ୍ତାା ନେଇ ଲୋକଙ୍କ ପାଖରେ ପହଞ୍ଚୁଥିବା ବେଳେ ବିରୋଧୀ ବିଜେପି ଏବଂ କଂଗ୍ରେସ ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି।
ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ନବୀନ ସରକାର ସମୟରେ ହୋଇଥିବା ଉନ୍ନୟନ ମୂଳକ କାମକୁ ଆଧାର କରି ଲୋକଙ୍କୁ ପାଖକୁ ଭୋଟ୍ ମାଗିବାକୁ ଯାଉଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ସମାବେଶ ଏବଂ ବୈଠକ ଜରିଆରେ ଲୋକଙ୍କ ସମସ୍ୟାକୁ ଶୁଣୁଛନ୍ତି ଦଳୀୟ ନେତା । ମୁଖ୍ୟତଃ ପୌର ନିର୍ବାଚନ ବେଳେ ଯେଉଁଠି ବିଜେଡି ଭୋଟ୍ ପାଇବାରେ ଅସମର୍ଥ ହୋଇଥିଲା ସେହି ସବୁ ଜାଗାକୁ ଜଗିଛନ୍ତି ମନ୍ତ୍ରୀ ଓ ବିଧାୟକ । ବିଜେଡ଼ିର ୮ ମନ୍ତ୍ରୀ, ୩୦ରୁ ଅଧିକ ବିଧାୟକ ପ୍ରଚାର ମୈଦାନରେ ରହି ରଣନୀତି ତିଆରି କରୁଛନ୍ତି। ଖୋଦ୍ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଉପସ୍ଥିତ ରହି ନିର୍ବାଚନରେ ଭେ୍ାଟ୍ ହାତେଇବାକୁ ମାଇକ୍ରୋ ଲେବୁଲରେ ମନଟରିଂ କରୁଛନ୍ତି । ସେହିପରି ବ୍ରଜରାଜନଗର ପୌରାଞ୍ଚଳ ଦାୟିିତ୍ୱରେ ମନ୍ତ୍ରୀ ପ୍ରତାପ ଜେନା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଥିବାବେଳେ ବେଲପାହାଡ଼କୁ ଜଗିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ସେହିପରି ଲଖନପୁରରେ ମନ୍ତ୍ରୀ ସମୀର ଦାଶ, ଝାରସୁଗୁଡ଼ା ବ୍ଲକର ୫ଟି ପଞ୍ଚାୟତରେ ମନ୍ତ୍ରୀ ଅରୁଣ ସାହୁ ବଳ ଖଟାଉଛନ୍ତି ।
ସେହିପରି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ନିର୍ବାଚନ ରଣନୀତି ତିଆରି କରୁଛନ୍ତି ସାଂସଦ ସୁରେଶ ପୂଜାରୀ । ବ୍ରଜରାଜନଗରେ ସରକାର ହସ୍ପିଟାଲ ତିଆରି କରିବ ବୋଲି କହିଥିଲା ହେଲେ ଏଯାଏ ହୋଇନାହିଁ । ସେହିପରି ପ୍ରଦୂଷଣ ଏବଂ ମହାନଦୀ ପ୍ରସଙ୍ଗକୁ ଆଧାର କରି ବିଜେପି ବିଭିନ୍ନ ସ୍ଥାନରେ ସଭାସମିତି କରି ପ୍ରଚାର କରୁଛି। ବ୍ରଜରାଜନଗର ପୌରାଞ୍ଚଳରେ ମୋହନ ମାଝୀ, ବେଲପାହାଡ଼ରେ କୁସୁମ ଟେଟେ, ଲଖନପୁୁର ବ୍ଲକରେ ଜୋନ ପିଛା ଜଣେ ଲେଖାଏଁ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ଆଉ ସମସ୍ତ ପ୍ରଚାର ମଙ୍ଗ ଧରିଛନ୍ତି ସାଂସଦ ସୁରେଶ ପୂଜାରୀଙ୍କ ସମେତ ବିଜେପି ନେତା ରବି ନାୟକ, ଇରାଶିଷ ଆଚାର୍ଯ୍ୟ, ଟଙ୍କଧର ତ୍ରିପାଠୀ ପ୍ରମୁଖ ।
ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ନବ ନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜଟଣୀ ବିଧାୟକ ସୁରେଶ ରାଉତରାୟ, କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଗଣେଶ୍ୱର ବେହେରା ପ୍ରମୁଖ ଡୋର୍ ଟୁ ଡୋର୍ କ୍ୟାମ୍ପେନ କରିବା ସହିତ ପ୍ରଚାର କରୁଥିବା ବେଳେ ଛତିଶଗଡ଼ରୁ କଂଗ୍ରେସ ନେତା ମଧ୍ୟ କିଶୋରଙ୍କ ପାଇଁ ପ୍ରଚାର କରିଛନ୍ତି।