ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତା ପ୍ରକଟ କଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି
ଝାରସୁଗୁଡା: ରୁଷ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧର ଘନଘଟା ଭିତରେ ୟୁକ୍ରେନରୁ ଅନେକ ଭାରତୀୟ ଛାତ୍ରଛାତ୍ରୀ ଅଧାରେ ପାଠ ପଢା ଛାଡି ଘରକୁ ଫେରିଛନ୍ତି । ଏବେ ଏହି ପିଲାଙ୍କର ଭବିଷ୍ୟତ କଣ ହେବ ? କାରଣ ଏହି ବିଦ୍ୟାର୍ଥୀ ଦେଶରେ ମେଡିକାଲରେ ନାମଲେଖାଇବାକୁ ସୁଯୋଗ ନପାଇବାରୁ ବିଦେଶରେ ନାମ ଲେଖାଇଛନ୍ତି । ତେଣୁ ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଏ ନେଇ ରାଜ୍ୟସଭା ସାଂସଦ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ସେ କହିଛନ୍ତି ।
ସାଂସଦ ଆଚାର୍ଯ୍ୟ କହିଛନ୍ତି, ଯେଉଁମାନେ ୟୁକ୍ରେନରୁ ଫେରିଛନ୍ତି ସେମାନେ କିଭଳି ଅଧା ପାଠ ପଢାକୁ ସଂପୂର୍ଣ୍ଣ କରିପାରିବେ ତା ଉପରେ ଗୁରୁତ୍ୱ ଦେବା ଦରକାର । ଏଥିସହ କେଉଁ କାରଣ ପାଇଁ ଦେଶର ଛାତ୍ରଛାତ୍ରୀ ବିଦେଶ ତଥା ୟୁକ୍ରେନକୁ ମେଡିକାଲ ପଢିବାକୁ ଯାଇଛନ୍ତି ସେ ନେଇ ତର୍ଜମା କରିବା ଦରକାର ବୋଲି ସାଂସଦ କହିଛନ୍ତି ।
ସେହିପରି ଆଉ ଏକ ଦିଗ ଉପରେ ଏହି ବିଜେଡି ସାଂସଦ ଗୁରୁତ୍ୱାରୋପ କରିଛନ୍ତି, ଦେଶରେ ମେଡିକାଲ ପାଠ ପଢା ଅଧିକ ବ୍ୟୟବହୁଳ ରହିଛି ଏବଂ ଦେଶରେ ଥିବା ମେଡିକାଲ କଲେଜରେ ସିଟ୍ ସଂଖ୍ୟା କମ୍ ରହିଛି । ତେଣୁ ମଧ୍ୟବିତ ପରିବାର ଲୋକେମାନେ ବିଦେଶରେ ନିଜ ପୁଅ, ଝିଅଙ୍କୁ କମ୍ ଦାମରେ ମେଡିକାଲ ପଞାଇବାକୁ ପଠାଉଛନ୍ତି । ତେଣୁ ଏହି ସବୁ ଦିଗ ଉପରେ କେନ୍ଦ୍ର ସରକାର ବିଚାର କରି ଏହି ସବୁ ସମସ୍ୟାର ସମାଧାନ କରିବା ଦରକାର ବୋଲି ସାଂସଦ ଆଚାର୍ଯ୍ୟ କହିଛନ୍ତି । କାରଣ ୟୁକ୍ରେନରେ ଯେଉଁ ସ୍ଥିତି ଉପୁଜିଛି ସେଠାକୁ ପିଲାମାନେ ଏବେ ପାଠ ପଢିବାକୁ ଯିବା କଷ୍ଟକର ଏବଂ ବିଳମ୍ବ ମଧ୍ୟ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ଏବେ ସୁଦ୍ଧା ୟୁକ୍ରେନ ଛାଡିସାରିଲେଣି ୨୩ ହଜାର ଭାରତୀୟ । ଏମାନଙ୍କ ମଧ୍ୟରେ ଅନେକ ଓଡିଆ ମଧ୍ୟ ରହିଛନ୍ତି । ଯେଉଁମାନେ କି ମେଡିକାଲ ପଢିବାକୁ ୟୁକ୍ରେନ ଯାଇଥିଲେ ।