?????

ଶବକୁ ମିଳୁନି ଶେଷ ସମ୍ମାନ, ମାନବିକତା ଦେଖାଇଲା ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ

ଝାରସୁଗୁଡା: ମହାମାରୀ କରୋନା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି। ଲୋକେ ଏହି ମହାମାରୀକୁ ନେଇ ଭୟଭୀତ ହେବା ସ୍ୱାଭାବିକ। ହେଲେ ସ୍ଥିତି ଏମିତି ଯେ ଲୋକଙ୍କର ମାନବିକତା ହଜି ଯାଉଛି। ଆଉ ଶବକୁ ଶେଷ ସମ୍ମାନ ମଧ୍ୟ ଦେଉ ନାହାନ୍ତି। ତେବେ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍ ରଘୁନାଥପାଲି ଗ୍ରାମରେ କିନ୍ତୁ ଘଟଣା କିଛି ଅଲଗା ଘଟିଛି।

ଜଣେ ଲୋକର ସ୍ବାଭାବିକ ଭାବରେ ମୃତ୍ୟୁ ହୋଇଛି। ହେଲେ ତାଙ୍କ ମୃତଦେହ ପାଖକୁ କେହି ଯାଉ ନାହାନ୍ତି। ନିଜ ସଂପର୍କୀୟ ଯେଉଁଠାରେ ଯାଉ ନାହାନ୍ତି ସେଠାରେ ସାହି ପଡ଼ିଶା ଘର ଲୋକ ବା କାହିଁକି ଯିବେ? ଏଭଳି ପରିସ୍ଥିତିରେ ଅନେକ ସ୍ବେଚ୍ଛାସେବୀ ସଂଗଠନ ମାନବିକତା ଦେଖାଇ ମୃତକଙ୍କ ଦାହ ସଂସ୍କାର କରିବାକୁ ଆଗେଇ ଆସୁଛନ୍ତି।

ଗୁରୁବାର ସନ୍ଧ୍ୟାରେ ଶିବଶଙ୍କର ମେହେରଙ୍କ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁପରେ ପରିବାର ଲୋକ ସଂପର୍କୀୟ ଓ ଜ୍ଞାତିକୁଟୁମ୍ବଙ୍କୁ ଟେଲିଫୋନ୍ କରି ଜଣାଇଥିଲେ। ମୃତକଙ୍କ ଦାହ ସଂସ୍କାର ପାଇଁ ସେମାନଙ୍କୁ ଅନୁରୋଧ କରିଥିଲେ। ଘର ପାଖରେ ଥିବା ସାହି ପଡ଼ିଶାର ଲୋକଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ମାତ୍ର କରୋନା ଭୟରେ କେହି ମୃତଦେହକୁ ଛୁଇଁବା ତ ଦୂରର କଥା ପାଖକୁ ଦେଖିବାକୁ ମଧ୍ୟ ଆସି ନଥିଲେ। ଫଳରେ ମୃତଦେହ ଦୀର୍ଘ ୧୫ ଘଣ୍ଟା ପଡ଼ି ରହିଥିଲା। ବୃଦ୍ଧଙ୍କ ଏକମାତ୍ର ପୁଅ ଅକ୍ଷୟ ଅସହାୟ ହୋଇ ପଡ଼ିଥିଲେ। ଶେଷରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ର ସଦସ୍ୟଙ୍କୁ ଜଣାଇଥିଲେ।

ମଞ୍ଚର ଆବାହାକ ରଞ୍ଜନ ସାହୁ, ସଭ୍ୟ ତେଜସ୍ବୀ ସାହୁ, ସଚ୍ଚିଦା ପ୍ରଧାନ ଓ ସୁରଜ ପ୍ରଧାନ ଶବସତ୍କାର କରିବାକୁ ଆଗେଇ ଆସିଥିଲେ। ସେମାନେ ଏକ ପିକ୍‌ଅପ୍ ଆଣି ମୃତଦେହକୁ ସମ୍ମାନର ସହିତ ଗାଁ ମଶାଣିକୁ ନେଇ ସେଠାରେ ସତ୍କାର କରିଥିଲେ। ଯୁବ ସଂଗଠନର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । କରୋନାକୁ ଘୃଣା କର ରୋଗୀକୁ ନୁହେଁ ବୋଲି କହି ସମସ୍ତଙ୍କୁ ସଚେତନ କରିଛନ୍ତି ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଆବାହକ ରଞ୍ଜନ ସାହୁ।

Related Articles

Leave a Reply

Back to top button
error: Content is protected !!