?????

ଶବ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି, ପୋଲିସ ରୁଜୁ କଲା ମାମଲା

ଝାରସୁଗୁଡ଼ା: ଚର୍ଚ୍ଚାରେ ଝାରସୁଗୁଡା ଶବ ଗୃହରୁ ଭିସେରା ଚୋରି ହେବା ଘଟଣା । ଅନେକ ଗୁମର ଫିଟାଇବାରେ ଭିସେରା ଗୁରୁତ୍ୱ ରଖୁଥିବା ବେଳେ କିଭଳି ଜିଲ୍ଲାର ଶବ ଗୃହରୁ ଭିସେରା ଚୋରି ହୋଇଗଲା ତାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ଥାନାରେ ଏତଲା ଦେବା ପରେ ବି ପୁଲିସ ମାମଲା ରୁଜୁ କରୁନଥିଲା। ଏ ନେଇ ଖବର ପ୍ରସାରଣ ପରେ ମାମଲା ରୁଜୁ ହୋଇଥିବା ଝାରସୁଗୁଡା ଏସଡ଼ିପିଓ ନିର୍ମଳ ମହାପାତ୍ର କହିଛନ୍ତି।

ମଙ୍ଗଲବଜାରରେ ରହିଛି ଏହି ଶବ ବ୍ୟବଚ୍ଛେଦ ଗୃହ। ଏଠାରେ ଗଚ୍ଛିତ ରହୁଥିବା ଭିସେରା ଚୋରି ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ବିଳମ୍ବରେ ହସ୍ତଗତ ହୋଇଛି। ଏ ନେଇ ଗତ ଡିସେମ୍ବର ୮ ତାରିଖ ଦିନ ଝାରସୁଗୁଡ଼ା ଟାଉନ ଥାନାରେ ସିଡିଏମ୍ଓ କାର୍ଯ୍ୟାଳୟ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ଶବ ବ୍ୟବଚ୍ଛେଦ ପରେ ଭିସେରାକୁ କେମିକାଲ୍‌ ମଧ୍ୟରେ ରଖା ଯାଇଥାଏ। ଏହି ଭିସେରାରୁ ମୃତ୍ୟୁ ସଂପର୍କିତ ଅନେକ ତଥ୍ୟ ଜଣା ପଡ଼ିଥାଏ। ‌ଝାରସୁଗୁଡ଼ା ଶବ ବ୍ୟବଚ୍ଛେଦ ଗୃହରେ ଗଚ୍ଛିତ ରଖା ଯାଇଥିବା ଭିସେରାକୁ ‌କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଗୃହର ଝରକା ଭାଙ୍ଗି ଭିତରୁ ଏହି ଭିସେରା କିଏ ଓ କାହିଁକି ଚୋରି କରିବ ସେ ନେଇ ନାନା କଥା ଶୁଣିବାକୁ ମିଳୁଛି। କୌଣସି ଏକ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହେବା ଭୟରେ କେହି ଏହି ଭିସେରାକୁ ଯୋଜନା ମୁତାବକ ଚୋରି କରି ନେଇ ନାହିଁ ତ ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ତେବେ ପୁଲିସ ପ୍ରାରମ୍ଭରେ ଏହି ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ନେଇଥିଲା। ଲିଖିତ ଅଭିଯୋଗ ପରେ ବି ପୋଲିସ ଏଫଆଇଆର ରୁଜୁ ନ କରି କେବଳ ଏକ ଷ୍ଟେସନ ଡାଏରୀ କରି ଚୁପ ହୋଇ ବସି ଯାଇଥିଲା। ପରେ ମାମଲା ରୁଜୁ କରିଛି ପୋଲିସ।

ତେବେ ଏତେ ସଂଖ୍ୟାରେ ଥିବା ନୂଆ ଓ ପୁରୁଣା ସମସ୍ତ ଭିସେରା ଶବ ବ୍ୟବଚ୍ଛେଦ ଗୃହରୁ କିଏ ନେଇ କେଉଁଠି ଫିଙ୍ଗିଲା ତାହା ମଧ୍ୟ ଜଣାପଡ଼ି ନାହିଁ। ସଂପୂର୍ଣ୍ଣ ଭାବରେ ଏହାକୁ ଉଭାନ କରି ଦେବା ପଛରେ କିଛି ରହସ୍ୟ ଥିବା ଆଶଙ୍କା ସ୍ବାଭାବିକ ଅଟେ। ଏ ସଂପର୍କରେ ସିଡିଏମ୍‌ଓ ଡା. ଡୋଳାମଣି ପଟେଲ କହିଛନ୍ତି, ଏହି ଭିସେରା ଚୋରି ସଂପର୍କରେ ସେ ଖବର ପାଇ ଡିଏମ୍‌ଓ (ଏମ୍ଏସ୍‌)ଙ୍କୁ ଥାନାରେ ଏଫଆଇଆର୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ୫ ରୁ ଉର୍ଦ୍ଧ୍ବ ଭିସେରା ଗାୟବ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡ଼ିଥିବା ବେଳେ ଏ ନେଇ ପୋଲିସକୁ ଲିଖିତ ଅଭିଯୋଗ କରାଯାଇଥିବା ଝାରସୁଗୁଡା ସିଡିଏମ୍‌ଓ ଡା. ଡୋଳାମଣି ପଟେଲ କହିଛନ୍ତି ।

ଅନ୍ୟପଟେ ବାରମ୍ବାର ମଙ୍ଗଳବଜାରରେ ଥିବା ଶବ ବ୍ୟବଚ୍ଛେଦ ଗୃହକୁ ଭଙ୍ଗା ଯାଉଥିବା ଓ ଚୋରି ହେବା ଏକ ବଡ଼ ଷଡଯନ୍ତ୍ରର ଗନ୍ଧ ଜଣାପଡୁଛି । ଶବ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି ହେବା ଦୁର୍ଭାଗ୍ୟଜନକ ଓ ପୋଲିସ ତୁରନ୍ତ FIR ରୁଜୁ କରି ତଦନ୍ତ ପାଇଁ ଦାବି କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ।

ଝାରସୁଗୁଡା ଏସଡ଼ିପିଓ ନିର୍ମଳ ମହାପାତ୍ର କହିଛନ୍ତି, ଅଭିଯୋଗ ଆଧାରରେ ତଦନ୍ତ ହେଉଛି। ରେଜିଷ୍ଟର ଦେଖି ତର୍ଜମା କରାଯିବ କେଉଁ ଭିସେରା ଚୋରି ହୋଇଛି ଏବଂ ଏହି ଭିସେରା କେଉଁ ମାମଲା ସହିତ ଜଡିତ ସେ ନେଇ ଅନୁଧ୍ୟାନ କରାଯାଉଛି। ତଦନ୍ତ ପରେ ଯିଏ ଦୋଷୀ ହେବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related Articles

Leave a Reply

Back to top button
error: Content is protected !!