୨୩ରୁ ମାଟ୍ରିକ ପରୀକ୍ଷା, ୫.୩୨ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା
କଟକ: ଚଳିତ ମାସ ୨୩ ତାରିଖରୁ ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ମାଟ୍ରିକ ସମ୍ମେଟିଭ୍ ଆସେସ୍ମେଣ୍ଟ-୧ ପରୀକ୍ଷା ଆରମ୍ଭ ହେବ। ୩୦ ତାରିଖରେ ପରୀକ୍ଷା ଶେଷ ହେବ। ମାଧ୍ୟମିକ ଶିକ୍ଷାପରିଷଦ ବୋର୍ଡ (ବିଏସ୍ଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ମାଟ୍ରିକ୍ ସମେଟିଭ୍ ମୂଲ୍ୟାଙ୍କନ -୧ ପରୀକ୍ଷା ପାଇଁ ୫.୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ୩୦ଟି ଜିଲ୍ଲାର ୩୦୨୯ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀ।
ପରୀକ୍ଷା ପ୍ରଶ୍ନପତ୍ର ରଖିବା ପାଇଁ କେନ୍ଦ୍ର ସରକାର ୩୧୬ଟି ନୋଡାଲ ସେଣ୍ଟର କରିଛନ୍ତି। ଯେଉଁଠି ପ୍ରଶ୍ନପତ୍ର ଏବଂ ଅନ୍ୟାନ୍ୟ ପରୀକ୍ଷା ସଂକ୍ରାନ୍ତୀୟ ଦସ୍ତାବିଜ ସୁରକ୍ଷିତ ଭାବେ ରଖାଯିବ। ଏହି ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ଶୁକ୍ରବାରଠାରୁ ବିଏସ୍ଇର ଅଫିସିଆଲ୍ ୱେବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।
ସେହିପରି ମଧ୍ୟମା ଓ ଓପନ ସ୍କୁଲ ପାଇଁ ଆସନ୍ତା ୧୭ ତାରିଖ ଠାରୁ ବିଦ୍ୟାର୍ଥୀମାନଙ୍କୁ ଆଡମିଟ୍ କାର୍ଡ ମିଳିବ। ନଭେମ୍ବର ୧୧ ଠାରୁ ଭୋକେସନାଲ ପ୍ରାକ୍ଟିକାଲ ପରୀକ୍ଷା ହେବ। ୧୦୧୨ଟି ସ୍କୁଲରେ ଏହା ନଭେମ୍ବର ୧୮ ତାରିଖ ଯାଏଁ ଚାଲିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।