କୀଟନାଶକ ପିଇ ଆତ୍ମହତ୍ୟା କଲେ ଚାଷୀ!

ସମ୍ୱଲପୁର: ଜିଲ୍ଲାର ଧନକଉଡ଼ା ବ୍ଲକ କୁଦଗୁଣ୍ଡେରପୁରରେ ଜଣେ ଚାଷୀ ଚାଷରେ କ୍ଷତି ଏବଂ ଋଣ ଭାର ସହିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ କୈବଲ୍ୟ ରୋହିଦାସ ବୋଲି ଜଣାପଡିଛି।
ଚାଷରେ କ୍ଷତି ହେତୁ ରୋହିଦାସ ମାନସିକ ଚାପଗ୍ରସ୍ତ ହୋଇଯାଇଥିଲେ। ତାଙ୍କ ପାଖରେ ଯଦିଓ ଧାନ ମହଜୁଦ ଥିଲା ହେଲେ ଏହାକୁ ସେ ବିକ୍ରି କରିପାରିନଥିଲେ ତେଣୁ ଋଣ ପରିଶୋଧ କରିବାରେ ସେ ବିଫଳ ହୋଇଥିଲେ ବୋଲି ମୃତକଙ୍କ ସ୍ତ୍ରୀ କହିଛନ୍ତି। ରବି ଋତୁରେ ସେ 2 ଶହ କ୍ୱିଣ୍ଟାଲ ଧାନ ଅମଳ କରିଥିବାବେଳେ ମାତ୍ର 45 ଶହ କ୍ୱିଣ୍ଟାଲ ଧାନ ବିକି ଥିସେ। ତେଣୁ ବଳକା ଧାନକୁ ଶାଗ, ମାଛ ଦରରେ ବିକ୍ରି କରି ଦେଇଥିଲେ।
ଋଣ ପରିଶୋଧ କିଭଳି କରିବେ ସେ ନେଇ ରୋହିଦାସ ଚାପ ଗ୍ରସ୍ତ ହେବା ପରେ ବୁଧବାର ସେ କୀଟନାଶକ ପିଇଥିଲେ। ଏହାପରେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଶୁକ୍ରବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ମୃତ ଚାଷୀଙ୍କ ପୁଅ ଦଶରଥ ରୋହିଦାସ କହିଛନ୍ତି, “ଏହି ରବି ଋତୁରେ ଫସଲରେ କ୍ଷତି ହୋଇଥିଲା। ମୋ ବାପା 1.5 ଲକ୍ଷ ଟଙ୍କା କ୍ଷତି ସହିଥିଲେ। ପରବର୍ତ୍ତୀ ସମୟରେ ସେ ଯାହା ଅମଳ କରିଥିଲେ ତାହା ବିକ୍ରି କରିପାରିନଥିଲେ। ସେ ମାନସିକ ଚାପରେ ଥିଲେ।”