ଝାରସୁଗୁଡା ବିମାନ ବନ୍ଦର ପ୍ରସଙ୍ଗରେ ବିଭାଗୀୟ ସଚିବଙ୍କୁ ଭେଟିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ଓ ସାଂସଦ
ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ସାଂସଦ ସୁରେଶ ପୂଜାରୀ ଝାରସୁଗୁଡ଼ାର ବୀର ସୁରେନ୍ଦ୍ରା ସାଏ ବିମାନ ବନ୍ଦରକୁ ନେଇ ଦେଖାଦେଇଥିବା ସମସ୍ୟା ବାବଦରେ ବେସାମରିକ ବିମାନ ଚଳାଚଳ ସଚିବଙ୍କୁ ଭେଟିଥିଲେ। ଅକ୍ଟୋବର 27ରେ ସଚିବଙ୍କୁ ଭେଟି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର କିପରି ଉନ୍ନତି ହୋଇପାରିବ ସେ ନେଇ ଆଲୋଚନା କରିଥିଲେ।
ଆଲୋଚନା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ସାଂସଦ ସୁରେଶ ପୂଜାରୀ କହିଥିଲେ ଯେ, ଅନିୟମିତ ବିମାନ ସେବା ଓ ସ୍ପାଇସ୍ ଜେଟ୍ ବିମାନ ସେବା ବାତିଲ ଯୋଗୁଁ ପଶ୍ଚିମ ଓଡ଼ିଶା ଓ ଝାରସୁଗୁଡ଼ାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭୁୂବନେଶ୍ୱର ପରେ ଏହା ଓଡ଼ିଶାର ଦ୍ୱିତୀୟ ବିମାନ ବନ୍ଦର। ଏହି ବିମାନ ବନ୍ଦରଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏହି ବିମାନବନ୍ଦର ପ୍ରତିଷ୍ଠା ହେବା ଦ୍ୱାରା ସ୍ଥାନୀୟ ଅଂଚଳରେ ଅନେକ ଆଶା ସଞ୍ଚାର ହୋଇଥିଲା।
ସମାନ କଥା ନିକଟରେ ବିଧାୟକ ନବ ଦାସ ଓ ସାଂସଦ ସୁରେଶ ପୂଜାରୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି ଆଲୋଟନା କରିଥିଲେ ବୋଲି କହିଛନ୍ତି। ଓଡିଶାର ଦୁଇ ନିର୍ବାଚିତ ନେତାଙ୍କ ଅଭିଯୋଗ ଶୁଣିବା ପରେ ବେସାମରିକ ବିମାନ ଚଳାଚଳ ସଚିବ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ସ୍ପାଇସ୍ ଜେଟର ବିଭାଗୀୟ ଅଧିକାରୀ ଓ ସିଇଓଙ୍କୁ ଡାକିଥିଲେ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡିଛନ୍ତି।