ଗଡକରୀଙ୍କ ଟ୍ୱିଟ୍: ଜାତୀୟ ରାଜପଥ-୪୯ରେ ଝାରସୁଗୁଡ଼ା ବାଇପାସ୍ ପାଇଁ ମଞ୍ଜୁରୀ ମିଳିଛି
ଝାରସୁଗୁଡା: ଶିଳ୍ପର ସହର ଝାରୁସୁଗୁଡାରେ ଭାରିଯାନ ପାଇଁ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଏଥିପାଇଁ ଏକ ବାଇପାସ ରୋଡ୍ ତିଆରି କରିବାକୁ ଦାବି ହେଉଥିଲା। ଏବେ ଏହି ବାଇପାସ ରୋଡ୍ ପାଇଁ ଅନୁମତି ମିଳିଛି। ବୁଢିପତରରୁ ପତ୍ରପାଲିକୁ ଏହି ରାସ୍ତା ଭାୟା ତାଳପଟିଆ ଦେଇ ସଂଯୋଗ କରିବ ବୋଲି ସୂଚନା ରହିଛି। ଏଥିପାଇଁ ଆବଶ୍ୟକୀୟ ଟଂକା ମଧ୍ୟ ମଞ୍ଜୁର ହୋଇଛି। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ଏହି ସୂଚନା ଦେଇଛି।
ଜାତୀୟ ରାଜପଥ ଏନଏଚ-୪୯କୁ ଏହି ରାସ୍ତା ସଂଯୋଗ କରିବ। ମୋଟ୍ ୩୧.୨୪ କିଲୋମିଟର ରାସ୍ତା ନିର୍ମାଣ ହେବ। ଏଥିପାଇଁ ମୋଟ୍ ୫୮୭.୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ରାସ୍ତା ତିଆରି ହେବା ବେଳେ ହାତୀ ମାନଙ୍କ ନିରାପଦ ଚଳପ୍ରଚଳ ପାଇଁ ଗୁରୁତ୍ୱ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।
ଝାରସୁଗୁଡ଼ା ଜାତୀୟ ରାଜପଥ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ସତ୍ୟବାନ ପଟେଲ୍ କହିଛନ୍ତି, “ଏହି ବାଇପାସ୍ ରୋଡ୍ ବୁଢିପତ୍ର ଅଞ୍ଚଳରୁ ବାହାରି ଭାୟା ତାଳପଟିଆ ଛକ ଦେଇ କୋଲାବିରା ନିକଟ ପତ୍ରପାଲିକୁ ସଂଯୋଗ କରିବ। ଏଚ. କଣ୍ଟାପାଲି ଠାରେ ଏକ ବାଇପାସ ବ୍ରିଜ ନିର୍ମାଣ ହେବ । ଏହା ଏକ ରେଳ ଓଭର ବ୍ରିଜ ହେବ। ଏହାବ୍ୟତୀତ ବନ୍ୟଜନ୍ତୁଙ୍କ ସୁରକ୍ଷିତ ଯାତାୟାତ ପାଇଁ ବାଇ ପାସ୍ ନିର୍ମାଣ କରାଯିବ। ଏବେ ପ୍ରାୟ ୭୦ ପ୍ରତିଶତ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି ଏବଂ ବାକି କାମ ଖୁବ୍ ଶୀଘ୍ର ଶେଷ ହେବ।