?????

ମାଡ଼ିଗଲା ଟ୍ରକ, ଘଟଣାସ୍ଥଳରେ ରେଳ ଫାଟକ ଜଗୁଆଳିଙ୍କ ମୃତ୍ୟୁ

ଝାରସୁଗୁଡ଼ା: ବାଲିଜୋରି ରେଳ ଫାଟକ କ୍ରସିଂ ନିକଟରେ ଜଗୁଆଳିଙ୍କୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ 50 ବର୍ଷୀୟ ଫାଟକ ଜଗୁଆଳିଙ୍କର ମୃତ୍ୟୁ ଘଟିଛି। ପରେ ମାଲ୍ ବୋଝେଇ ଟ୍ରକଟି ଯଦିଓ ଫେରାର ହେବାକୁ ପ୍ରୟାସ କରୁଥିଲା କିନ୍ତୁ ପୋଲିସ ଟ୍ରକକୁ ଜବତ କରିଥିବା ବେଳେ ଡ୍ରାଇଭରକୁ ଅଟକ ରଖିଥିବା ସୂଚନା ରହିଛି। ମୃତ ବ୍ୟକ୍ତି ଝାରସୁଗୁଡ଼ା ଜିଲ୍ଲା ଧୁତ୍ରା ଅଞ୍ଚଳର ସାରସମାଲର ଟେକଚାନ୍ଦ ପାନ(50)।

ମଙ୍ଗଳବାର ସକାଳ 10ଟା 30 ସମୟରେ ଟ୍ରେନ ଆସୁଥିବା ଜାଣି ବାଲିଜୋରି ରେଳ ଫାଟକ ଜଗୁଆଳି ଟେକଚାନ୍ଦ ପାନ ବନ୍ଦ କରିବାକୁ ସାଇରନ୍ ଚାଲୁ କରିଥିଲେ। ସେ ଫାଟକ ବନ୍ଦ କରିବାକୁ ଚାହୁଁଥିଲେ କିନ୍ତୁ ତଥାପି ଟ୍ରକ୍ଗୁଡ଼ିକ ପାର ହୋଇ ଯିବାକୁ ପ୍ରୟାସ କରୁଥଲେ। ଆଉ ଟ୍ରକକୁ ଅଟକାଇବାକୁ ଆସି ଗେଟ କିପର ଜଣଙ୍କ ରାସ୍ତା ଉପରକୁ ପଳାଇ ଆସିଥିଲେ। ଏହି ସମୟରେ ଟ୍ରକ ନମ୍ବର (ଓଡି 16B 8139) ତାଙ୍କୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ଘଟଣାସ୍ଥଳରେ ଗେଟ୍ କିପର ଟେକଚାନ୍ଦଙ୍କର ମୃତ୍ୟୁ ଘଟିଛି।

ଅନ୍ୟ ଜଣେ ଗେଟ୍ କିପର ଟିକ୍କାରାମ ପଟେଲ କହିଛନ୍ତି, ସବୁବେଳେ ଆମକୁ ଏହି ରେଳ ଫାଟକରେ ଟ୍ରକ୍ ଚଳାଚଳକୁ ବନ୍ଦ କରିବା ପାଇଁ ବ୍ୟକ୍ତିଗତ ଭାବେ ଯିବାକୁ ପଡ଼ିଥାଏ। କାରଣ ଟ୍ରକ୍ ଚଳାଚଳ ଯୋଗୁଁ ଟ୍ରାଫିକ୍ ଅତ୍ୟନ୍ତ ବ୍ୟସ୍ତବହୁଳ ହୋଇଥାଏ। ଆଜି ଟ୍ରକଟି ଅଟକି ନପାରି ଟେକଚାନ୍ଦଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲା।

ଏ ନେଇ ପୁଲିସ ଆଇପିସିର ଧାରା 279 ଏବଂ ଆଇପିସିର ଧାରା 304A ଅନୁଯାୟୀ ମାମଲା ରୁଜୁ କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରାଯାଇଥିବା ବେଳେ ଟ୍ରକର ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖାଯାଇଛି।

Related Articles

Leave a Reply

Back to top button
error: Content is protected !!