୧୮ରୁ ପୁଣିଥରେ ବଢ଼ିବ ବର୍ଷାର ପ୍ରଭାବ !
ଭୁବନେଶ୍ୱର: ୧୮ ତାରିଖ ବେଳକୁ ପୁଣିଥରେ ବର୍ଷାର ପ୍ରଭାବ ବଢ଼ିବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳକି ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି, ୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୮ ସେପ୍ଟେମ୍ବର ବେଳକୁ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ । ହେଲେ ଆଜିଠୁ କମିବ ବର୍ଷାର ପ୍ରଭାବ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼, କଟକ ଓ ଗଞ୍ଜାମରେ ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ଆଶଙ୍କା ରହିଛି।
ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବଜ୍ରପାତ ହେବ । ଏ ନେଇ ପାଣିପାଗ କେନ୍ଦ୍ର ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି।
ରାଜ୍ୟରେ ତିନି ଦିନ ଧରି ଘଡ଼ଘଡ଼ି ସହ ବର୍ଷା ଲାଗିରହିଥିବା ବେଳେ ସେପ୍ଟେମ୍ବର ୧୮ରୁ ପୁଣି ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।