ମୌସୁମୀ ଛୁଇଁଲା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ବୈଠକ ବସିଲା
ଝାରସୁଗୁଡ଼ା: ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁ ସାରିଛି । ତେଣୁ ବର୍ଷା ସ୍ୱାଭାବିକ ଭାବେ ହେବ । ଏପରି ସ୍ଥିତିରି କିପରି ମୁକାବିଲା ହେବା ସେ ନେଇ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଭିନ୍ନ ପ୍ରାକୃତିକ ତଥା ମନୁଷ୍ୟକୃତ ବିପର୍ଯ୍ୟୟର ମୁକାବିଲା ସକାଶେ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଏକ୍ସରସାଇଜ ବୈଠକ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଙ୍କେଶ୍ୱର ଅମାତ, ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ, ଓଡ୍ରାଫର ଅଧିକାରୀ ଓ ଜିଲ୍ଲା ସ୍ତରୀୟମାନେ ଉପସ୍ଥିତ ଥିଲେ।
ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଆଦି ବିଭିନ୍ନ ବିପର୍ଯ୍ୟୟ ସମୟରେ ଧନଜୀବନ ହାନିରୁ ନିଜକୁ କିପରି ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ସମସ୍ତେ ସଚେତନ ହେବା ଉପରେ ବୈଠକରେ ଗୁଋତ୍ୱାରୋପ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ୱାଲ୍ ପେଣ୍ଟିଂ , କର୍ମଶାଳା ଓ ଡ଼ାକବାଜି ଯନ୍ତ୍ର ସହାୟତାରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସକାଶେ ପୁଲିସ , ଅଗ୍ନିଶମ ବିଭାଗ , ଓଡ୍ରାଫ , ପଞ୍ଚାୟତିରାଜ ସଭ୍ୟ , ବିଭିନ୍ନ ସରକାରୀ ବିଭାଗ , ଏନ୍ ସି ସି , ଏନ୍ ଏସ୍ ଏସ୍ ଓ ସ୍ବେଛାସେବୀ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଉଦ୍ଧାର ଓ ରିଲିଫ ସାମଗ୍ରୀ ପରିବହନ ସକାଶେ ଯାନବାହନର ବ୍ୟବସ୍ଥା , ଚୁଡ଼ା ଚାଉଳ , ଗୁଡ଼ ସହ ମଣିଷ ଓ ଗୃହ ପାଳିତ ପଶୁଙ୍କ ପାଇଁ ଆବଶ୍ୟକୀୟ ଔଷଧ ମହଜୁଦ ରଖିବା ସମ୍ପର୍କରେ ଆଲୋଚନା କରାଯାଇ ସମ୍ପୃକ୍ତ ଅଧିକାରୀକାରୀମାନକୁ ଏ ଦିଗରେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ଆଶ୍ରୟ ପ୍ରଦାନ ପାଇଁ ଚିହ୍ନଟ ସ୍କୁଲମାନଙ୍କରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ , ପାନୀୟ ଜଳ ଓ ପାଇଖାନାର ବ୍ୟବସ୍ଥା ଗ୍ରହଣ ସ୍ୱରୂପ ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଗର୍ଭବତୀ ମହିଳା , ଶିଶୁ ଓ ରୋଗୀମାନଙ୍କ ଯତ୍ନ ଓ ଚିକିତ୍ସା ସକାଶେ ଆବଶ୍ୟକୀୟ ବ୍ୟବସ୍ଥା , ଖରିଫ ଚାଷ ନଷ୍ଟ ହେଲେ ଅଳ୍ପ ବ୍ୟବଧାନରେ କିପରି ଅନ୍ୟ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବା , ବିପର୍ଯ୍ୟୟ ପୂର୍ବରୁ ଟୀକାକରଣ ଓ ବିପର୍ଯ୍ୟୟ ପରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ ପାଇଁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ସମ୍ପୃକ୍ତ ବିଭାଗଗୁଡିକ ନିଜ ନିଜ କାର୍ଯ୍ୟାଳୟରେ ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ ଚାଲୁ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଲଙ୍କେଶ୍ୱର ଅମାତ ଧନ୍ୟବାଦ ଅର୍ପଣ କରିଥିଲେ ।