ଶୁକ୍ରବାର ପାଖରୁ କରୋନା ନିୟମରେ ଏହି ସବୁ ପରିବର୍ତ୍ତନ ହୋଇଛି

ଭୁବନେଶ୍ୱର: ଶୁକ୍ରବାର ସକାଳ 5ଟାରେ ଆଂଶିକ ଲକଡାଉନ ଶେଷ ହେବା ପୂର୍ବରୁ ରାଜ୍ୟ ସରକାର ପୁଣିଥରେ ଅଗଷ୍ଟ 1 ଯାଏ ଆଂଶିକ ଲକଡାଉନ୍ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ପୂର୍ବ ଅପେକ୍ଷା ବଜାର ଖୋଲିବା ପାଇଁ ରାଜ୍ୟ ସରକାର ଅଧିକ ସମୟ ଅନୁମତି ଦେଇଥିବା ବେଳେ ସାରା ରାଜ୍ୟରେ ବସ ଚଳାଚଳ କରିବାକୁ ଅନୁମତି ଦେଇଛନ୍ତି।
ଓଡିଶାର 10ଟି ଉପକୂଳବର୍ତ୍ତୀ ଜିଲ୍ଲାରେ କୋଭିଡ-19 ସ୍ଥିତିରେ କୌଣସି ବିଶେଷ ଉନ୍ନତି ହୋଇ ନ ଥିବାରୁ ଗୁରୁବାର ଓଡିଶା ସରକାର ଆଂଶିକ ତାଲାକୁ ଅଗଷ୍ଟ 1 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି, ଓଡିଶାରେ କରୋନା ପଜିଟିଭିଟି ରେଟ୍ ବର୍ତ୍ତମାନ ହ୍ରାସ ପାଇଛି। ପୂର୍ବରୁ ଦୈନିକ 3000 ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ଏହା 2 ହଜାରକୁ ହ୍ରାସ ପାଇଛି। ରାଜ୍ୟରେ ମୋଟ ଦୈନିକ ସଂକ୍ରମଣରୁ 40 ପ୍ରତିଶତ କଟକ ଏବଂ ଖୋର୍ଦ୍ଦା ଜିଲ୍ଲାରୁ ଆସିଛନ୍ତି। ଏହାର ଅର୍ଥ ପରିସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିନାହିଁ।
ତେଣୁ ରାଜ୍ୟରେ ଆଂଶିକ ଲକଡାଉନ ଆଉ ଦୁଇ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି। ଜିଲ୍ଲାଗୁଡ଼ିକୁ ସେହିଭଲି ଏ ଏବଂ ବିରେ ବିଭକ୍ତ କରାଯାଇଛି। କମ୍ ସଂକ୍ରମଣ ହାର ଥିବା 20ଟି ଜିଲ୍ଲା (ଏ) ବାକି 10 ଟି ଜିଲ୍ଲା (ବି)ରେ ରହିଛନ୍ତି। ଖୋର୍ଦ୍ଦା, କଟକ, ପୁରୀ, ବାଲେଶ୍ୱର, ଭଦ୍ରକ, ଜଗତତ୍ସିଂହପୁର, ଯାଜପୁର, କେନ୍ଦ୍ରାପଡା, ମୟୂରଭଞ୍ଜ ଏବଂ ନୟାଗଡ଼ ବି ଶ୍ରେଣୀରେ ରହିଛି। ଏ ଶ୍ରେଣୀରେ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୋନପୁର, ଗଞ୍ଜାମ, ଗଜପତି, କାନ୍ଧମାଳ, ବୈଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ରହିଛି।
20ଟି ଜିଲ୍ଲାରେ ସକାଳ 6 ଟାରୁ ରାତି 8 ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ଏବଂ ବାକି ଜିଲ୍ଲାରେ ସକାଳ 6 ଟାରୁ 5 ଟା ପର୍ଯ୍ୟନ୍ତ ଖୋଲା ରହିବ। ନାଇଟ କର୍ଫ୍ୟୁ ପୂର୍ବଭଳି ବଳବତ୍ତର ରହିବ। ସେହିଭଳି 10 ଜିଲ୍ଲାରେ ସପ୍ତାହନ୍ତ ଲକଡାଉନ ଜାରି ରହିବ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ବସ୍ (କେବଳ ବସିବା କ୍ଷମତା ସହିତ), ଟ୍ୟାକ୍ସି ଏବଂ ଅଟୋ ରିକ୍ସା ସେବା ଶୁକ୍ରବାର ଠାରୁ ଆରମ୍ଭ ହେବ। ତେବେ ରଥ ଯାତ୍ରାକୁ ଦୃଷ୍ଟିରେ ରଖି ଜୁଲାଇ 25 ପର୍ଯ୍ୟନ୍ତ ପୁରୀକୁ କୌଣସି ବସ୍ ଗଡ଼ି ପାରିବ ନାହିଁ। ଏଥିସହ ଆନ୍ତଃ ରାଜ୍ୟ ବସ୍ ସେବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।
ସେହିପରି କରୋନା ପ୍ରୋଟୋକଲ ଅନୁଯାୟୀ ଶୁକ୍ରବାର ଠାରୁ ଜିମ୍, ପାର୍ଲର, ସ୍ପା ଏବଂ ସେଲୁନ୍ ସମଗ୍ର ରାଜ୍ୟରେ ଖୋଲିବ। କିନ୍ତୁ ସ୍କୁଲ୍ ସିନେମା ହଲ୍, ପାର୍କ, ପ୍ରଦର୍ଶନୀ ଏବଂ ମଲ୍ ସାରା ରାଜ୍ୟରେ ବନ୍ଦ ରହିବ।