?????

୩୦ ସୁଦ୍ଧା ସରକାର ଦାବି ପୂରଣ ନ କଲେ ୧ରୁ ଆନ୍ଦୋଳନର ଧମକ ଦେଲା ବସ୍ ମାଲିକ ସଂଘ

ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ସୁଦ୍ଧା ରାଜ୍ୟ ସରକାର ଦାବି ପୂରଣ ନ କଲେ ଜୁଲାଇ ୧ ତାରିଖରୁ କାର୍ୟ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବସ୍ ମାଲିକ ସଂଘ । ଶନିବାର ଏଭଳି ଏକ ଚେତାବନୀ ଦେଇଛି ସଂଘ । ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ସରକାରଙ୍କ ନିକଟରେ ଆମର ପ୍ରାଥମିକ ଦାବି ଥିଲା ଯେ, ଆବଶ୍ୟକସ୍ଥଳେ ତୃତୀୟ ପକ୍ଷକୁ ପରମିଟ୍ ହସ୍ତାନ୍ତର କରିବାକୁ ଅନୁମତି ଦିଆଯାଉ। ସରକାର ପ୍ରତିବନ୍ଧକ ଦୂର କରିବା ପାଇଁ ଆମକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହି ଆଶ୍ୱାସନାକୁ ୬ ମାସ ବିତିଗଲାଣି। ଆମେ ଏବେ ବି ଖାଲି ହାତରେ ଅଛୁ। ସେହିପରି ଦ୍ୱିତୀୟ ଦାବି ଥିଲା ଦିନରେ ସ୍ଲିପର ବଗି ଚଳାଇବାକୁ ଅନୁମତି ଦିଆଯାଉ।

ପରିବହନ ବିଭାଗ ଏକ ‘ବଡି କୋଡ୍’ ଜାରି କରି ଆମେ ସ୍ଲିପର ବଗି ଗୁଡ଼ିକର ବଡି ସେମାନଙ୍କ ସ୍ପେସିଫିକେସନ୍ ଅନୁଯାୟୀ ନିର୍ମାଣ କରିବାକୁ ଚାହୁଁଥିଲୁ। ଆମେ ସମସ୍ତ କାମ ନିର୍ଦ୍ଦେଶ ଅନୁସାରେ କାମ କରିଛୁ ଏବଂ ନିୟମକୁ ପାଳନ କରିବା ସୁନିଶ୍ଚିତ କରିଛୁ। ଯଦି ପରିବହନ ବିଭାଗ ଓ ପରିବହନ କମିଶନର ଏହି ଡିଜାଇନକୁ ଅନୁମୋଦନ କରିଛନ୍ତି, ତେବେ ଦିନରେ ସ୍ଲିପର ବଗି ଚଳାଇବାରେ ଅସୁବିଧା କେଉଁଠି ବୋଲି ଦେବେନ୍ଦ୍ର ସାହୁ ପ୍ରଶ୍ନ କରିଛନ୍ତି।

ସେହିପରି ତୃତୀୟ ଦାବି ଥିଲା, ସାରା ରାଜ୍ୟରେ ରାଜପଥ କଡ଼ରେ ବସ୍ ବେ’ ବ୍ୟବସ୍ଥା କରାଯାଉ, ଯାହା ଫଳରେ ବସ ଗୁଡିକ ରାସ୍ତାରେ ଯାତାୟତରେ ବାଧା ସୃଷ୍ଟି ନ କରି ସହଜରେ ଯାତ୍ରୀ ଉଠାଇପାରିବେ ଓ ଛାଡ଼ିପାରିବେ ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ଥିଲା ମଙ୍ଗୁଳି ଓ ସମ୍ବଲପୁର ରାସ୍ତାରେ ଜାତୀୟ ରାଜପଥର ମରାମତି। ସେହି ଅଂଶରେ ଥିବା ଭଙ୍ଗା ରାସ୍ତା ୪ ବର୍ଷ ହେଲାଣି ଯାନବାହନ ପାଇଁ ଦୁଃସ୍ୱପ୍ନ ପାଲଟିଛି। ଗତବର୍ଷ ସରକାର ଆମକୁ ୬ ମାସ ମଧ୍ୟରେ ମରାମତି କାମ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏଯାଏ ସରିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ଗତବର୍ଷ ମଙ୍ଗୁଳି-ସମ୍ବଲପୁର ରାସ୍ତା କାମ ଶେଷ ନହେବା ପ୍ରସଙ୍ଗକୁ ନେଇ ଆମେ ବନ୍ଦ ପାଳନ କରିଥିଲୁ। ଏଯାଏଁ କିଛି ବି ବାସ୍ତବ ରୂପ ନେଇନାହିଁ। ମୁଁ ଭାବୁଛି ଆମକୁ ପୁଣି ଥରେ ଧର୍ମଘଟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!