?????

ରଜ ପରେ ତାତିରୁ ମିଳିପାରେ ଆଶ୍ୱସ୍ତି

ଭୁବନେଶ୍ୱର: କେରଳରେ ମୌସୁମୀ ଛୁଇଁସାରିବା ପରେ ସାରା ଦେଶରେ ଲୁଚକାଳି ଖେଳୁଛି । ପୂର୍ବ ରେକର୍ଡ ଅନୁଯାୟୀ କେରଳରେ ମୌସୁମୀ ଛୁଇଁବା ପରେ ସାରା ଦେଶରେ ଆଉ ପନ୍ଦର ଦିନ ମଧ୍ୟରେ ମୌସୁମୀ ଛୁଇଁବା କଥା । ହେଲେ ସାରା ଦେଶରେ ଏବେ ବି ଅସହ୍ୟ ଗରମ ଜାରି ରହିଛି। ଏହାରି ଭିତରେ ରଜ ପରେ ଅର୍ଥାତ ଜୁନ୍ ୧୬ ଯାଏ ଗ୍ରୀଷ୍ମ ପ୍ରବାହରୁ ବିଶେଷ ନିସ୍ତାର ମିଳିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରି କହିଛି। ଯାହାକି ରାଜଧାନୀବାସୀଙ୍କ ସମେତ ସାରା ଦେଶବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି ।

ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର. କେ. ଜେନାମଣି କହିଛନ୍ତି, “ଏପ୍ରିଲ ଶେଷ ଏବଂ ମେ’ ମାସରେ ରେକର୍ଡ କରାଯାଇଥିବା ଗ୍ରୀଷ୍ମ ପ୍ରବାହ ତୁଳନାରେ ବର୍ତ୍ତମାନ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହର ପ୍ରକୋପ କମ୍ ରହିଛି, କିନ୍ତୁ ଏହାର ପ୍ରଭାବକ୍ଷେତ୍ର ପ୍ରାୟ ସମାନ ରହିଛି। ଜୁନ୍ ୧୨ରୁ ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଓଡ଼ିଶା ଉପରେ ପ୍ରାକ୍ ମୌସୁମୀ ସକ୍ରିୟତା ରହିବ ବୋଲି ପୂର୍ବାନୁମାନ କରାଯାଇଛି, କିନ୍ତୁ ଜୁନ୍ ୧୫ ପର୍ୟ୍ୟନ୍ତ ଉତ୍ତର ରାଜସ୍ଥାନ, ପଞ୍ଜାବ, ହରିଆଣା, ଦିଲ୍ଲୀ, ଉତ୍ତର ପ୍ରଦେଶରେ ସ୍ୱାଭାବିକ ତାପମାତ୍ରାଠାରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଅଧିକାରୀ କହିଛନ୍ତି।

ଦିଲ୍ଲୀ-ଏନସିଆର ଏବଂ ଉତ୍ତର-ପଶ୍ଚିମ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ସପ୍ତାହକ ମଧ୍ୟରେ କିଛି ମାତ୍ରାରେ ହ୍ରାସ ପାଇବ କିନ୍ତୁ ଜୁନ୍ ୧୫ ଯାଏ ସେମିତି କୌଣସି ବଡ଼ ଧରଣର ଆଶ୍ୱସ୍ତି ମିଳିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ଗୁରୁବାର କହିଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜୁନ୍ ୧୬ ପରେ ଗ୍ରୀଷ୍ମରୁ ମୁକ୍ତି ମିଳିପାରେ। ଗୁରୁବାର ହରିଆଣା, ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ଝାଡଖଣ୍ଡ ଓ ଓଡିଶାରେ ପ୍ରବଳ ଗରମ ଅନୁଭୂତ ହୋଇଛି। ଦିଲ୍ଲୀର ଫରିଦାବାଦରେ ତାପମାତ୍ରା ୪୭.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟର ୩୨ଟି ସହରର ତାପମାତ୍ରା ୪୪ ଡିଗ୍ରି ଉପରେ ରହିଛି। ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତରେ ଜୁନ୍ ୨ ତାରିଖରୁ ପ୍ରବଳ ଗରମ ଓ ଶୁଖିଲା ପବନ ବହିବା ଯୋଗୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

ଜୁନ୍ ୧୬ରୁ ଜୁନ୍ ୨୨ ମଧ୍ୟରେ ସାରା ଦେଶରେ ସର୍ବାଧିକ ତାପମାତ୍ରା “ସାଧାରଣଠାରୁ ପ୍ରାୟ ସ୍ୱାଭାବିକ” ରହିବ ବୋଲି ଆଇଏମଡି କହିଛି। ଏଥିରେ କୁହାଯାଇଛି ଯେ, ଜୁନ୍ ୧୬ରୁ ଜୁନ୍ ୨୨ ମଧ୍ୟରେ ଦେଶର କୌଣସି ସ୍ଥାନରେ ବିଶେଷ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ନାହିଁ। ସେହିପରି ମୌସୁମୀ ଦିଲ୍ଲୀ-ଏନସିଆର ଏବଂ ଉତ୍ତର-ପଶ୍ଚିମ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଠିକ୍ ସମୟରେ ପହଞ୍ଚିନପାରେ ବୋଲି କୁହାଯାଇଛି।

Related Articles

Leave a Reply

Back to top button
error: Content is protected !!