?????

ବ୍ରଜରାଜନଗର ବାଜି: ପ୍ରଚାର ଆରମ୍ଭ କଲେ ରାଧାରାଣୀ, ଭୋଟ୍ ହାତେଇବାକୁ ଚାଲିଛି କସରତ

ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ବିଦ୍ଧିବଦ୍ଧ ଭାବେ ପ୍ରଚାର ଆରମ୍ଭ କରିଛନ୍ତି । ନିଜ ଗାଁ ଲଖନପୁର ବ୍ଲକ ସ୍ଥିତ ଧୁଲୁଣ୍ଡାରୁ ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଥମେ ଧୁଲୁଣ୍ଡା ଗ୍ରାମର କୂଳଦେବୀ ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ନିଜ ସମର୍ଥକମାନଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଇ ଡୋର ଟୁ ଡୋର କ୍ୟାମ୍ପେନି କରିଛନ୍ତି । ସ୍ଥାନୀୟ ଅଞ୍ଚଳର ସମସ୍ୟା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ ଯୋଜନାକୁ ଆଧାର କରି ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ରାଧାରାଣୀ ପଣ୍ଡା କହିଛନ୍ତି ।

ସେପଟେ ଉପ ନିର୍ବାଚନ ପାଇଁ ପ୍ରତେକ ବୁଥରୁ ଆସିଥିବା କାର୍ଯ୍ୟକର୍ତା, ସରପଞ୍ଚ, ସମିତି ସଭ୍ୟ, ନେତା, ମଣ୍ଡଳ କମିଟି, ଜ଼ିଲ୍ଲା କମିଟି, ରାଜ୍ୟ ନେତୃବୃନ୍ଦକୁ ନେଇ ବ୍ରଜରାଜନଗର ମହେଶ୍ୱରୀ ବଭନଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ପ୍ରଭାରୀ ଡି ପୂରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତି, ବରଗଡ଼ ସାଂସଦ ସୁରେଶ ପୂଜାରୀ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ, ଜ଼ିଲ୍ଲା ପ୍ରଭାରୀ ଶଙ୍କର ଓରାମ,ରାଜ୍ୟ ସମ୍ପାଦକ ସିମାଞ୍ଚଳ ଖଟେଇ,ଜ଼ିଲ୍ଲା ସଭାପତି ମଙ୍ଗଲ ସାହୁ, ସୁନୀଲ ପଣ୍ଡା ଓ ବିଧୟିକା ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଏହା ପୂର୍ବରୁ 40 ଜଣିଆ ପ୍ରଚାରକ ତାଲିକା ଘୋଷଣା କରିଥିଲା ବିଜେପି । ଯେଉଁଥିରେ 5 ଜଣ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ବିଜେପି ଓଡ଼ିଶା ଶାଖା ପକ୍ଷରୁ ମେ’ 9, 2022ରେ ମୁଖ୍ୟ ନିର୍ବାଚନ କମିସନରଙ୍କୁ ପ୍ରଦାନ କରାଯାଇଥିବା 40 ଜଣ ପ୍ରଚାରକଙ୍କ ତାଲିକାରୁ ଏହା ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିୟୁଷ ଗୋୟଲ, ପ୍ରହଲ୍ଲାଦ ଯୋଶୀ, ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବହୁ ନେତା ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର କରିବେ।

ରାଧାରାଣୀ ପଣ୍ଡା ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ିବେ। ମେ’ 31 ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। 2014ରେ ବିଜେଡି ପ୍ରାର୍ଥୀ ଅନୁପ କୁମାର ସାଏଙ୍କୁ ହରାଇ ସେ ଏହି ଆସନରେ ବିଜୟୀ ହୋଇଥିଲେ। କିନ୍ତୁ ଗତ ଡିସେମ୍ବର ମାସରେ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବ୍ରଜରାଜନଗର ଆସନରେ ଉପନିର୍ବାଚନ ହେବାକୁ ଯାଉଛି। 2019 ବିଧାନସଭା ନିର୍ବାଚନରେ ରାଧାରାଣୀ ବିଜେଡିର କିଶୋର ମହାନ୍ତିଙ୍କଠାରୁ 11,634 ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ତେଣୁ ଚଳିତ ଥର କିଶୋରଙ୍କ ଅନୁପସ୍ଥିତି ଏବଂ ନିଜର ପୂର୍ବ ପତିଆରା ଜରିଆରେ ଦଳ ରାଧାରାଣୀ ବିଜୟୀ ହେବେ ବୋଲି ଦଳ ଆଶା ରଖିଛି।

Related Articles

Leave a Reply

Back to top button
error: Content is protected !!