ନିର୍ବାଚନ ଆଚରଣ ବିଧି କଡାକଡି ଲାଗୁ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
ଝାରସୁଗୁଡ଼ା: ଉପନିର୍ବାଚନ ପାଇଁ ଜିଲ୍ଲାରେ ଆଚରଣ ବିଧି ଲାଗୁ ହୋଇଛି। ନିର୍ବାଚନ ବେଳେ କିଭଳି ଆଇନ ଶୃଙ୍ଖଳା ପରିସ୍ଥିତି ବଜାଇ ରହିବ ନେତାମାନେ କିଭଳି ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁଯାୟୀ ପ୍ରଚାର କରିବେ ସେ ଦିଗରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଗୁରୁତ୍ୱ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ଆଦେଶ ମୁତାବକ ବିଭିନ୍ନ ନିୟମାବଳୀର ସଠିକ ଅନୁପାଳନ କରାଯାଉଛି କି ନାହିଁ ସେ ସବୁର ତଦାରଖ ପାଇଁ ଗଠିତ ବିଭିନ୍ନ ସ୍କ୍ବାର୍ଡର ପଦାଧିକାରୀମାନେ ସତର୍କତା ପୂର୍ବକ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ସାମଲ ପରାମର୍ଶ ଦେଇଛନ୍ତି ।
ଶନିବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଦଭାବନା ଗୃହରେ ଅନୁଷ୍ଠିତ ବୈଠକରେ ଷ୍ଟାଟିକ ସର୍ଭେଲାନ୍ସ ଟିମ୍, ଫ୍ଲାଇଂ ସ୍କ୍ୱାର୍ଡ, ଆସିଷ୍ଟାଣ୍ଟ ଏକ୍ସପେଣ୍ଡିଚର ଅବଜର୍ଭର ,ଭିଡିଓ ସର୍ଭେଲାନ୍ସ ଟିମ ଓ ଭିଡିଓ ଭିଉଇଙ୍ଗ ଟିମ ପାଇଁ ନିୟୋଜିତ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଭୋଟରମାନଙ୍କୁ ପ୍ରଲୋଭିତ କରିବା ପାଇଁ ଟଙ୍କା , ମଦ ବିତରଣ ସହ ମାରଣାସ୍ତ୍ର ,ଡ୍ରଗ୍ସ ନେବା ଆଣିବା ଉପରେ ନଜର ରଖିବା ଓ ଆବଶ୍ୟକ ସ୍ଥଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହାର ଭିଡିଓ ରେକଡ଼ିଂ କରିବା ସଙ୍ଗେ ସଙ୍ଗେ ସିଜ କରାଯିବା, ଅସାମାଜିକ ତତ୍ତ୍ୱ , ଭୟ ପ୍ରଦର୍ଶନ , ନିର୍ବାଚନ ପ୍ରକ୍ରିୟାରେ ବାଧା ଉପୁଜାଇବା ଓ ଆଦର୍ଶ ଆଚରଣ ବିଧି ଉଲଂଘନ ସମ୍ପର୍କିତ ଅଭିଯୋଗ, ବଡ଼ ବଡ଼ ନିର୍ବାଚନୀ ଶୋଭାଯାତ୍ରା ଓ ସାଧାରଣ ସଭାର ଭିଡିଓ ରେକଡ଼ିଂ କରିବା ସମ୍ପର୍କରେ ଆଲୋଚନା କରାଯାଇ ସମ୍ପୃକ୍ତ ଟିମଗୁଡ଼ିକ ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ , ନିର୍ବାଚନରେ ଆବଶ୍ୟକୀୟ ପୁଲିସ ବାହିନୀ ମୁତୟନ ଓ ଦଳଗତ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ ସି ବେହେରା ,ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ , ସହକାରୀ ଜିଲ୍ଲାପାଳ ଉମାକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ଟିମ୍ ର ଅଧିକାରୀମାନେ ଉପସ୍ଥିତ ଥିଲେ ।