ବ୍ରଜରାଜନଗର ଉପନିର୍ବାଚନ: ‘ନବୀନଙ୍କ ନିଷ୍ପତ୍ତି ସର୍ବମାନ୍ୟ’
ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନରେ କିଏ ଟିକେଟ୍ ପାଇବ ସେ ନେଇ ଶାସକ ଦଳ ବିଜେଡିରେ ଲାଗି ରହିଛି ଛକାପଞ୍ଝା । ଜିଲ୍ଲାର ହେବିଓ୍ୱେଟ ନେତା ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଦୀପାଳି ଦାସ ଟିକେଟ ପାଇବେ ନା ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି ଟିକେଟ ପାଇବେ ସେ ନେଇ ଚର୍ଚ୍ଚା ବଢିଛି।
ନିର୍ବାଚନ ପାଇଁ ବିଗୁଲି ବାଜି ସାରିଥିବାରୁ ଦଳର ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ତେଣୁ ଏହି ଛକାପଞ୍ଝାର ପ୍ରଭାବ ଭୋଟ ପଡିଲା ବେଳେ ଯେମିତି ବିଭାଜନ ନହେଉ ସେଥିପ୍ରତି ଗୁରୁତ୍ୱ ଦେଇଛି ବିଜେଡି । ବୁଧବାର ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା। ଏଥିରେ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି ପ୍ରାର୍ଥୀ କିଏ ହେବେ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ଏଥିରେ କାହାରି ଦ୍ୱିମତ ନାହିଁ।
ମନ୍ତ୍ରୀ ନବ ଦାସ ପ୍ରତିକ୍ରିୟାରେ କହିଛନ୍ତି, ବୈଠକରେ ଗୋଟିଏ ସଂକଳ୍ପ ପାରିତ ହୋଇଛି। ସଂକଳ୍ପ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଯାହାକୁ ଟିକେଟ୍ ଦେବେ ଦଳ ତାଙ୍କୁ ସମର୍ଥନ କରିବ। ସେହିପରି ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି, ପଞ୍ଚାୟତ ନିର୍ବାଚନ ବେଳେ ଦଳ ବେଲପାହାଡ ପୌରାଧ୍ୟକ୍ଷ ପଦ ହରାଇଥିଲା। ତେଣୁ ଏଠାରେ କିପରି ଅଧିକ ଭୋଟ୍ ଆସିବ ସେ ନେଇ ଦଳୀୟ ରଣନୀତିରେ ପରିବର୍ତନ ହେବ।
ବୁଧବାର ବସିଥିବା ଏହି ବୈଠକରେ ମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମେତ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା କଟକ ମେୟର ସୁବାସ ସିଂ, ସହ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ କେଡ଼ିଆ ଯୋଗ ଦେଇଥିଲେ। ଏହାବାଦ ଜିଲ୍ଲାର ଅନ୍ୟାନ୍ୟ ବିଜେଡି ନେତା ମଧ୍ୟ ଯୋଗ ଦେଇଥିଲେ।
ଜିଲ୍ଲାରେ ନବଙ୍କର ବଡ ଖାତିରି ରହିଛି । ଅନ୍ୟପଟେ ବ୍ରଜରାଜନଗର କିଶୋରଙ୍କ ଘରୋଇ ନିର୍ବାଚନ ନୁହେଁ । 2019 ବେଳେ ସେ ପ୍ରଥମ ଥର ପାଇଁ ଏହି ବିଧାନସଭାରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏହି ଆସନ କ୍ରମାଗତ ଭାବେ କଂଗ୍ରେସ ଓ ସିପିଆଇ ହାତରେ ଥିଲା। କଂଗ୍ରେସରୁ ଏଠାରେ ଅନୁପ ସାଏ ପ୍ରତିନିଧିତ୍ୱ କରୁଥିଲେ। ଏବେ ଅନୁପଙ୍କ ଅନୁପସ୍ଥିତିରେ ନବ ଦାସ ଏହି ଆସନକୁ ନିଜ ପାଖରେ ରଖିବାକୁ ପ୍ରୟାସ କରି ଅଳକାଙ୍କ ଟିକେଟ କାଟିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।