ଝାରସୁଗୁଡା ଜିଲ୍ଲାର ଚାଷୀଙ୍କୁ ଛାଡ଼ି କାଳିଆ ଟଙ୍କା ପାଇଲେ ଚାଷୀ
ଭୁବନେଶ୍ୱର : ମଙ୍ଗଳବାର ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ କୃଷକ ମାନଙ୍କୁ ରାଜ୍ୟ ସରକାର କାଳିଆ ଯୋଜନାର ସହାୟତା ପ୍ରଦାନ କରିଛନ୍ତି । ଝାରସୁଗୁଡା ବ୍ୟତୀତ ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି ଟଙ୍କା ସିଧାସଳଖ ପ୍ରଦାନ କରାଯାଇଛି । ଚାଷୀ ମାନଙ୍କୁ ଏହି ଟଙ୍କାକୁ ଚାଷ କାମରେ ଲଗାଇ କୃଷିରେ ଉନ୍ନତି ଆଣିବା ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଝାରସୁଗୁଡ଼ାରେ ବ୍ରଜରାଜନଗର ଉପନିର୍ବାଚନ ଥିବାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ସେଥିପାଇଁ ଝାରସୁଗୁଡ଼ାକୁ ଏହି ଅନୁଦାନରୁ ବଂଚିତ କରାଯାଇଛି । ନିର୍ବାଚନ ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲ୍ଲା ଚାଷୀ ମାନଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ ।
ଭିଡିଓ କନ୍ଫରେନ୍ସିଂ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷୀ ଆମ ଅର୍ଥନୀତିର ମୁଖ୍ୟ ଆଧାର । ଆମର କୃଷକମାନେ କେବଳ ଓଡିଶା ନୁହେଁ, ସାରା ଦେଶର ଖାଦ୍ୟ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଓ ଓଡିଶା ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଚାଷୀ ଭାଇଭଉଣୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କୃଷି ବିକାଶ ଓ କୃଷକ କଲ୍ୟାଣ ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ବର୍ଷ କୃଷି ପାଇଁ ୨୦ ହଜାର କୋଟିରୁ ଅଧିକ ଟଙ୍କାର ବଜେଟ ରଖାଯାଇଛି। ଏହି ଅବସରରେ କୃଷି ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପଣସ ମିଶନ ଓ ରିୱାର୍ଡ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ସହିତ ମିଲେଟ୍ ମିଶନ ଓ ସମନ୍ୱିତ କୃଷି ପ୍ରୋତ୍ସାହନ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ପ୍ରସାର ମଧ୍ୟ କରାଯାଉଛି ।