?????

ଜାଡରେ ଥରୁଛି ଝାରସୁଗୁଡା, ସୋମବାର ରାତିରେ ପାରଦ ଲଟକିଲା 6.4 ଡିଗ୍ରୀରେ

ଝାରସୁଗୁଡା: ଶୀତରେ ଥରୁଛି ଶିଳ୍ପର ସହର ଝାରସୁଗୁଡା । ଚଳିତଥର ଝାରସୁଗୁଡାରେ ପ୍ରବଳ ଜାଡ ସହ ଅସହ୍ୟ ଶୀତ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ସଂଧ୍ୟା ହେବା ପାଖରୁ ତହିଁ ପରଦିନ ସକାଳ 9 ଯାଏ ଜିଲ୍ଲାବାସୀ ଥଣ୍ଡାରେ ଥରୁଛନ୍ତି । ରବିବାର ରାତିରେ ଝାରସୁଗୁଡାରେ ପାରଦ 5.6 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ସୋମବାର ସ୍ଥିତିରେ ସାମାନ୍ୟ ସୁଧାର ହେବା ପରେ ଏହା 6.4 ଡିଗ୍ରୀରେ ପହଂଚିଛି । ପଡୋଶୀ ଜିଲ୍ଲା ସୁନ୍ଦରଗଡରେ 6.5 ଡିଗ୍ରୀ ରହିଛି ତାପମାତ୍ରା।

ତେବେ ସୋମବାର ରାତିରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡି ପରେ ଫୁଲବାଣୀରେ ରେକର୍ଡ ହୋଇଛି । ଦାରିଙ୍ଗିବାଡିରେ ତାପମାତ୍ରା 3.5 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ଏହା 4 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେହିପରି 19ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ତଳେ ରେକର୍ଡ ହୋଇଛି । ବାଲେଶ୍ୱରରେ ସର୍ବନିମ୍ନ ତାପମାତ୍ରା 9.8 ଡିଗ୍ରୀ, ଚାନ୍ଦବାଲିରେ 9.2 ଡିଗ୍ରୀ, କଟକରେ 10.1, ପାରାଦୀପ 12.8, ଭୁବନେଶ୍ୱର 10.0, ଗୋପାଳପୁର 11.8, ପୁରୀ 13.6, ଅନୁଗୋଳ 8.6 ଡିଗ୍ରୀ ରେକର୍ଡ ହୋଇଛି।

ଶୀତର ପ୍ରକୋପ ଅଧିକ ରହୁଥିବାରୁ ରାତି 9 ବେଳକୁ ଯେଉଁ ବଜାରଘାଟରେ ଲୋକଙ୍କ ଗହଳି ଦେଖିବାକୁ ମିଳେ ସେଠି ଏବେ ଜନଶୂନ୍ୟ ହୋଇଯାଉଛି। ସବୁଠୁ ବଡ କଥାହେଲା ଯେଉଁମାନଙ୍କ ପାଖରେ ଘର ନାହିଁ ସେମାନେ ଶୀତ କାକରରେ ଖୋଲା ଆକାଶ ତଳେ ପଡି ରହୁଛନ୍ତି । ଦୋକାନ ବଜାର ରାତି 8ଟା ବେଳକୁ ବନ୍ଦ କରିଦେବା ଆରମ୍ଭ କରୁଛନ୍ତି । ଫୁଟପାଥ ବାସିନ୍ଦା ଏବଂ ଗରିବମାନେ ଶୁଖିଲା ଜଙ୍ଗଲର କାଠକୁ ଜାଳି ନିଆଁ ପୁଉଁଥିବା ଦେଖିବାକୁ ମିଳିଛି । ଅସହ୍ୟ ଥଣ୍ଡାରୁ ବର୍ତିବା ପାଇଁ ଟାୟାର ଏବଂ ଅଳିଆକୁ ପୋଡି ଶେକି ହେଉଥିବା ଦେଖିବାକୁ ମିଳିଛି।

ବ୍ରଜରାଜନଗରର ବାସିନ୍ଦା ରାଜୀବ ସିଂ କହିଛନ୍ତି, ମୁଁ ବ୍ରଜରାଜନଗରରୁ ଝାରସୁଗୁଡା କାମ କରିବାକୁ ଯାଏ ଗାଡିରେ । ସାଧାରଣତଃ ରାତି 9 ହେଲେ ଘରକୁ ଫେରେ । କିନ୍ତୁ ଏବେ ରାତିରେ ଫେରିବା ବେଳେ ରାସ୍ତା ଜନଶୂନ୍ୟ ହୋଇଯାଉଛି । ଏମିତିକି ସକାଳ ପ୍ରାୟ 4ଟା ସମୟରେ ଲୋକେ ଉଠି ବଜାରକୁ ଆସୁଥିଲେ ଏବେ କିନ୍ତୁ ଲୋକେ 6ଟାପରେ ବଜାରକୁ ଆସୁଛନ୍ତି ବୋଲି ସେ କହିଛନ୍ତି ।

ପ୍ରବଳ ଥଣ୍ଡା ଦାଉରୁ ସୁରକ୍ଷିତ ରହିବା ପାଇଁ ଶ୍ୱେଟର, ଜ୍ୟାକେଟ୍, ଏବଂ କୋଟ୍ କିଣିବା ପାଇଁ ଶୀତ ବଜାର ମାର୍କେଟରେ ଭିଡ ଲଗାଉଥିବା ଦେଖିବାକୁ ମିଳିଛି । ଝାରସୁଗୁଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡି କହିଛନ୍ତି, “ଶୀତ ଲହରକୁ ଦୃଷ୍ଟିରେ ରଖି ଆମେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛୁ । ଯେଉଁମାନଙ୍କର ଘର ନାହିଁ ସେମାନଙ୍କ ପାଇଁ ଝାରସୁଗୁଡା ଟାଉନ୍ ହଲ ପାଖରେ ଆଶ୍ରୟସ୍ଥଳ ବ୍ୟବସ୍ଥା କରିଛୁ। ପରବର୍ତ୍ତୀ ସମୟରେ, ଆମର ଅଧିକାରୀମାନେ ସନ୍ଧ୍ୟା 7 ଟାରୁ ରାତି 10 ଟା ପର୍ଯ୍ୟନ୍ତ ପାଟ୍ରୋଲିଂ କରି ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

ଏକାସାଙ୍ଗରେ, ଆମେ ଏହି ସୁବିଧା ସମ୍ପର୍କରେ ରେଳ ସୁରକ୍ଷା ବଳ ସହିତ ସଦର ପୋଲିସ୍ ଷ୍ଟେସନ ଏବଂ ଟାଉନ୍ ପୋଲିସ ଷ୍ଟେସନର ଆଇଆଇସିକୁ ମଧ୍ୟ ସୂଚନା ଦେଇଛୁ । ଯଦି ସେମାନେ କାହାକୁ ଏପରି ଅବସ୍ଥାରେ ପାଆନ୍ତି ତେବେ ସେମାନେ ଏହି ସୁବିଧାକୁ ପଠାଇ ପାରିବେ।

Related Articles

Leave a Reply

Back to top button
error: Content is protected !!