?????

ସଂରକ୍ଷଣକୁ ନେଇ ହାଇକୋର୍ଟରେ ଫସିଲା ପେଞ୍ଚ

କଟକ: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗାଁ ଗାଁରେ ଏହାକୁ ନେଇ ନିର୍ବାଚନୀ ତାତି ଉଷ୍ମ ହୋଇଛି। କିନ୍ତୁ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ ବିଦ୍ଧିବଦ୍ଧ ବିଜ୍ଞପ୍ତି ଜାରି କରି ନାହାନ୍ତି । କେବଳ ସରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ଯାହାକୁ ନେଇ ଆଇନଗତ ଲଢେଇ ଆରମ୍ଭ ହୋଇଯାଇଛି । ଆଉ ମାମଲା ହାଇକୋର୍ଟରେ ପହଂଚିଛି । ଆଉ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି କି ନାହିଁ ସତ୍ୟପାଠ ଜରିଆରେ ଅବଗତ କରାଇବା ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ପଞ୍ଚାୟତରାଜ ନିର୍ବାଚନ ଆଇନ ଅନୁଯାୟୀ ଜନସଂଖ୍ୟାର ଅନୁପାତ ଅନୁସାରେ ନିର୍ବାଚନରେ ବିଭିନ୍ନ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବା କଥା। କିନ୍ତୁ ପଞ୍ଚାୟତରାଜ ସଚିବଙ୍କ ବିଜ୍ଞପ୍ତିରେ ଏହାକୁ ଅଣଦେଖା କରାଯାଇଛି ବୋଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବାସିନ୍ଦା ବିରେନ୍ଦ୍ର ଦାସ । ତେଣୁ ନିୟମ ଅନୁଯାୟୀ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଇବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ହାଇକୋର୍ଟ ମାମଲାକୁ ଗୁରୁତ୍ୱର ସହ ନେଇ ପୂର୍ବରୁ ପଞ୍ଚାୟତରାଜ ସଚିବଙ୍କୁ ଏକ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ ପଞ୍ଚାୟତରାଜ ସଚିବ କୋର୍ଟରେ ସତ୍ୟପାଠ ଦାଖଲ କରି କହିଥିଲେ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ହେଲେ ଆବେଦନକାରୀ ସଚିବଙ୍କ ଯୁକ୍ତିକୁ ବିରୋଧ କରି କହିଛନ୍ତି ତାହାଲେ ସରକାର ପଞ୍ଚାୟତ ନିର୍ବାଚନ ପାଇଁ କାହିଁକି ବିଦ୍ଧିବଦ୍ଧ ବିଜ୍ଞପ୍ତି ଜାରି ହୋଇନି ବୋଲି ପ୍ରଶ୍ନ କରିଛନ୍ତି।

ଆବେଦନକାରୀ କହିଛନ୍ତି, ସଂରକ୍ଷଣ ବ୍ୟବସ୍ଥାରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନେଇଛନ୍ତି ସରକାର। ସରକାର ସଂରକ୍ଷଣକୁ ନେଇ ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ତାହା ପଞ୍ଚାୟତ, ବ୍ଲକ୍‌ ତଥା ଜିଲ୍ଲାୱାରୀ ଜନସଂଖ୍ୟାକୁ ଆଧାର କରି କରାଯାଇଛି । ଯାହାକି ସମ୍ପୂର୍ଣ୍ଣ ଅସାମ୍ବିଧାନିକ ତେଣୁ ପଞ୍ଚାୟତଗୁଡ଼ିକରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ ସଂରକ୍ଷଣ କମିଛି । ଡିସେମ୍ବର ୨୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ।

Related Articles

Leave a Reply

Back to top button
error: Content is protected !!