?????

ବ୍ୟାଙ୍କ କର୍ମଚାରୀଙ୍କ ପାରିବାରିକ ପେନସନ ପରିମାଣ 30 ହଜାରରୁ 35 ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀମାନଙ୍କ ପରିବାରକୁ ଆଶ୍ବସ୍ତି ପ୍ରଦାନ କରିବାର ଏକ ପଦକ୍ଷେପ ସ୍ବରୂପ, ଫ୍ୟାମିଲି ପେନସନ ପରିମାଣ ଶେଷ ଦରମାର 30 ପ୍ରତିଶତକୁ ବୃଦ୍ଧି କରିବା ଲାଗିଇଣ୍ଡିଆନ ବ୍ୟାଙ୍କସ୍ ଆସୋସିଏସନ୍ସ (ଆଇବିଏ)ର ପ୍ରସ୍ତାବକୁ ସରକାର ମଞ୍ଜୁର କରିଛନ୍ତି। ଏହି ପଦକ୍ଷେପ ଫଳରେ ପ୍ରତ୍ୟେକ ବ୍ୟାଙ୍କ କର୍ମଚାରୀଙ୍କ ପାରିବାରିକ ପେନସନ ପରିମାଣ 30,000ରୁ 35,000 ଟଙ୍କାକୁ ବୃଦ୍ଧି ପାଇବ।

ମୁମ୍ବାଇରେ ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗର ସଚିବ ଦେବାଶୀଷ ପଣ୍ଡା ଏହି ଘୋଷଣା କରିଛନ୍ତି।

ଆର୍ଥିକ ବ୍ୟାପାର ବିଭାଗ ସଚିବ ପଣ୍ଡା ସୂଚନା ଦେଇଥିଲେ ଯେ, ରାଷ୍ଟ୍ରାୟତ୍ତ କ୍ଷେତ୍ର ବ୍ୟାଙ୍କ କର୍ମଚାରୀଙ୍କ ମଜୁରି ସଂଶୋଧନ ଉପରେ 11ତମ ଦ୍ବିପକ୍ଷୀୟ ସେଟଲମେଣ୍ଟକୁ ଜାରି ରଖି, ଫ୍ୟାମିଲି ପେନସନ ଏବଂ ଏନପିଏସ ଅନ୍ତର୍ଗତ ନିଯୁକ୍ତିଦାତାଙ୍କ ଯୋଗଦାନ ପାଇଁ ଏକ ପ୍ରସ୍ତାବ ଦିଆଯାଇଥିଲା।

ନଭେମ୍ବର 11, 2020ରେ ବିଭିନ୍ନ ବ୍ୟାଙ୍କ ୟୁନିଅନ ଓ ଆଇବିଏ ମଧ୍ୟରେ ଏହି ଦ୍ବିପକ୍ଷୀୟ ସେଟଲମେଣ୍ଟ ସ୍ବାକ୍ଷରିତ ହୋଇଥିଲା। ଏହାକୁ ଆଧାର କରି ମିଳିଥିବା ପ୍ରସ୍ତାବକୁ ଅର୍ଥ ମନ୍ତ୍ରୀ ମଞ୍ଜୁର କରିଥିବା ସଚିବ ସୂଚନା ଦେଇଛନ୍ତି। ସଚିବ ଆହୁରି କହିଥିଲେ ଯେ ପୂର୍ବରୁ ଏହି ଯୋଜନାରେ ପେନସନ ଭୋଗୀମାନେ ଏକ ସମୟରେ ୧୫, ୨୦, ୩୦ ପ୍ରତିଶତ ସ୍ଲାବରେ ପେନସନ ଉଠାଣ କରୁଥିଲେ। ଏହାର ସର୍ବାଧିକ ସୀମା ୯,୨୮୪ଟଙ୍କା ନିର୍ଦ୍ଧାରଣ କରାଯାଇଥିଲା।

ଏହା ଅତ୍ୟନ୍ତ ସ୍ବଳ୍ପ ପରିମାଣ ଥିଲା ଏବଂ ଅର୍ଥ ମନ୍ତ୍ରୀ ଶ୍ରୀମତୀ ସୀତାରମଣ ଏହାକୁ ନେଇ ଚିନ୍ତିତ ଥିଲେ। ସେ ଏଥିରେ ସଂଶୋଧନ ଆଣିବାକୁ ଚାହିଁଥିଲେ ଯାହା ଫଳରେ ବ୍ୟାଙ୍କ କର୍ମଚାରୀମାନଙ୍କ ପରିବାରବର୍ଗ ଜୀବନ ନିର୍ବାହ ପାଇଁ ଆବଶ୍ୟକ ପରିମାଣର ଅର୍ଥ ପାଇପାରିବେ।

ସରକାର ମଧ୍ୟ ଏନପିଏସ ଅଧୀନରେ ନିଯୁକ୍ତିଦାତାଙ୍କ ଯୋଗଦାନକୁ ବର୍ତ୍ତମାନର ୧୦ ପ୍ରତିଶତରୁ ବୃଦ୍ଧି କରି ୧୪ ପ୍ରତିଶତ କରିବା ଲାଗି ପ୍ରସ୍ତାବକୁ ମଞ୍ଜର କରିଛନ୍ତି।

ପରିବର୍ଦ୍ଧିତ ଫ୍ୟାମିଲି ପେନସନ ଦ୍ବାରା ସରକାରୀ ବ୍ୟାଙ୍କ କର୍ମଚାରୀମାନଙ୍କର ହଜାର ହଜାର ପରିବାର ସଦସ୍ୟ ଉପକୃତ ହେବେ। ସେହିପରି ନିଯୁକ୍ତିଦାତାଙ୍କ ଯୋଗଦାନ ବୃଦ୍ଧି କରାଯିବା ଫଳରେ ଏନପିଏସ ଅଧୀନରେ ବ୍ୟାଙ୍କ କର୍ମଚାରୀଙ୍କୁ ଅଧିକ ଆର୍ଥିକ ସୁରକ୍ଷା ମିଳିପାରିବ।

ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଥିବା ଅର୍ଥ ମନ୍ତ୍ରୀ ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କ ଗୁଡ଼ିକର ପ୍ରଦର୍ଶନ ସମୀକ୍ଷା କରିଥିଲେ ଏବଂ ସ୍ମାର୍ଟ ବ୍ୟାଙ୍କିଙ୍ଗ ପାଇଁ ଇଜ୍ ୪.୦ ସଂସ୍କାର ଏଜେଣ୍ଡାର ଶୁଭାରମ୍ଭ କରିଥିଲେ।

Related Articles

Leave a Reply

Back to top button
error: Content is protected !!