24ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମରୁଡି ହେବ କି?

ଭୁବନେଶ୍ୱର: ଚଳିତଥର ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି ଆକଳନ କରାଯାଉଥିଲା। କିନ୍ତୁ ଜୁନ୍ ଆରମ୍ଭରୁ ଅଗଷ୍ଟ ଯାଏ ହୋଇଥିବା ବର୍ଷାର ପରିମାଣକୁ ଦେଖିଲେ ଏବେ 24ଟି ଜିଲ୍ଲାରେ ବର୍ଷା ନିଅଣ୍ଟ ରହିଛି। ପାଖାପାଖି 70 ପ୍ରତିଶତ ବର୍ଷା ଅଭାବ ରହିଥିବାରୁ ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଉପୁଜିପାରେ।
ଦେଶର ପାଣିପାଗ ବିଭାଗ (ଆଇଏମଡି) ମୁଖ୍ୟ ଡକ୍ଚର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଅଗଷ୍ଟ ସୁଦ୍ଧା ପ୍ରାୟ ସମସ୍ତ ଜିଲ୍ଲାରେ ଏପର୍ଯ୍ୟନ୍ତ 70 ପ୍ରତିଶତରୁ କମ୍ ବର୍ଷା ହୋଇଛି। ଅଗଷ୍ଟରେ ଲଘୁଚାପ ହୋଇନଥିବାରୁ ବର୍ଷା କମ୍ ରହିଛି। ସାଧାରଣତଃ ଓଡ଼ିଶାରେ ଏହି ସମୟରେ ଦୁଇରୁ ତିନି ଥର ଲଘୁଚାପ ହୁଏ।
କିନ୍ତୁ ଅଗଷ୍ଟରେ 12 ଦିନ ହୋଇଗଲାଣି ଏବଂ ରାଜ୍ୟରେ ବର୍ଷା ହେବାର କୌଣିସି ଚିହ୍ନ ବର୍ଣ୍ଣ ନାହିଁ। ପାଗ ଶୁଖିଲା ରହିଛି। ଆଇଏମଡି ମୁଖ୍ୟଙ୍କ ଅନୁଯାୟୀ ନିଅଣ୍ଟିଆ ବର୍ଷା ଅଗଷ୍ଟ 15 ପର୍ଯ୍ୟନ୍ତ ଜାରି ରହିବ। ଯଦି ବର୍ଷା ହେବ ତାହେଲେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହୋଇପାରେ। ଅଗଷ୍ଟ 15 ପରେ କିନ୍ତୁ ରାଜ୍ୟରେ ବର୍ଷା ହୋଇପାରେ।
ଆଇଏମଡି ଦ୍ୱାରା ପ୍ରସ୍ତୁତ ହୋଇଥିବା ବୃଷ୍ଟିପାତର ପୂର୍ବାନୁମାନ (ଜୁନ୍ 1 – ସେପ୍ଟେମ୍ବର 30) କହିଛି ଯେ ଉତ୍ତର ଓଡ଼ିଶାର ଜିଲ୍ଲାରେ ବର୍ଷାର ଅଭାବ ରହିବ ବୋଲି ସମ୍ଭାବନା ଥିବାବେଳେ ରାଜ୍ୟର ଅବଶିଷ୍ଟ ଅଞ୍ଚଳରେ ସାଧାରଣ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ 31 ପର୍ଯ୍ୟନ୍ତ ଏହି ଭବିଷ୍ୟବାଣୀ ସଠିକ୍ ପ୍ରମାଣିତ ହୋଇଛି। ସେ କହିଛନ୍ତି ଯଦିଓ ଅଗଷ୍ଟ 15 ପରେ ଏବଂ ସେପ୍ଟେମ୍ବର ମାସରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ବର୍ଷା ନେଇ ଗ୍ୟାରେଣ୍ଟି ଦେଇ ହେବନି ବୋଲି ସେ କହିଛନ୍ତି।