ଓବିସି ସଂରକ୍ଷଣକୁ ନେଇ ଅଡ଼ୁଆରେ ଶାସକ ଦଳ, ପଦାରେ ପଡିଲା ଦୋମୁହାଁ ନୀତି

ଭୁବନେଶ୍ୱର: ଆଗକୁ ପଂଚାୟତ ନର୍ବାଚନ । ଏହା ପୂର୍ବରୁ ସମସ୍ତ ପ୍ରକାର ପାଗ ଭିଡା ଚାଲିଛି । ଏହାରି ଭିତରେ ସରକାର ସଂରକ୍ଷଣକୁ ନେଇ ଯେଉଁ ସୂଚନା ଜାରି କରିଛନ୍ତି ତାହା ରାଜ୍ୟବାସୀଙ୍କୁ ଚକିତ କରିଛି । କାରଣ ଯେଉଁ ମୁହଁରେ ଶାସକ ଦଳର ନେତା ଓ ମନ୍ତ୍ରୀ କୁହନ୍ତି ତାଙ୍କ ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁଥିବାରୁ ଏଯାବତ ସରକାରରେ ରହିଛନ୍ତି। କିନ୍ତୁ ଏଠାରେ ପ୍ରତିଶ୍ରୁତି ଭୁଲି ଯାଉଥିବା ପରିଲିକ୍ଷିତ ହୋଇଛି। ଯାହାର ଜ୍ୱଳନ୍ତ ଉଦାହରଣ ରାଜ୍ୟ ସରକାର ପଂଚାୟତ ନିର୍ବାଚନ ପାଇଁ ଘୋଷଣା କରିଥିବା ସଂରକ୍ଷଣ ବ୍ୟବସ୍ଥା।
ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତରୁ କମ୍ ସିଟ୍ ସଂରକ୍ଷଣ କରିଥିବାରୁ ବିରୋଧୀ ବିଜେପି ଏବଂ କଂଗ୍ରେସ ଶାସକ ବିଜେଡିକୁ ଷଣ୍ଢୁଆଶୀ ଆକ୍ରମଣ କରିଛନ୍ତି। ଏଥିସହ ଆଗାମୀ ଦିନରେ ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ପଛୁଆ ଶ୍ରେଣୀଙ୍କ ପାଇଁ ଥିବା ଜାତୀୟ କମିଶନଙ୍କ କୋର୍ଟକୁ ଟାଣିବେ ବୋଲି ଚେତାବନୀ ଦେଇଛନ୍ତି ।
ମଙ୍ଗଳବାର ସରକାର ଘୋଷଣା କରିଥିବା ସିଟ୍ ସଂରକ୍ଷଣରେ ଓବିସିଙ୍କ ପାଇଁ ଜିଲ୍ଲା ପରିଷଦରେ ୧୨.୧୯ ପ୍ରତିଶତ, ସରପଞ୍ଚରେ ୧୨.୯୨ ପ୍ରତିଶତ, ପଞ୍ଚାୟତ ସମିତିରେ ୧୪.୩୨ ପ୍ରତିଶତ ଏବଂ ଓ୍ୱାର୍ଡ ସଦସ୍ୟଙ୍କ ପାଇଁ ୧୩.୦୮ ପ୍ରତିଶତ ରହିଛି।
ବିଜେପି ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ଯେ ଓବିସିଙ୍କୁ ନ୍ୟାୟ ଦେବାକୁ ଏ ସରକାର ଚାହୁଁ ନାହାନ୍ତି। ଆଗାମୀ ଦିନରେ ସରକାରଙ୍କୁ ପଛୁଆ ଶ୍ରେଣୀଙ୍କ ପାଇଁ ଥିବା ଜାତୀୟ କମିଶନଙ୍କ ନିକଟକୁ ଟାଣିବ । ଏହା ବ୍ୟତୀତ ଦଳ ଏହି ପ୍ରସଙ୍ଗରେ ଆଇନଗତ ସହାୟତା ନେଇପାରେ।
ଅଣ-ଅନୁସୂଚିତ ଜିଲ୍ଲାମାନଙ୍କରେ କେଉଁ ଆଧାରରେ ସଂରକ୍ଷଣ କରାଯାଇଛି ତା ଉପରେ ରାଜ୍ୟ ସରକାର ସୂଚନା ଦେଇନାହାଁନ୍ତି ବୋଲି ସୁରଥ କହିଛନ୍ତି । ଯେଉଁ ଅଞ୍ଚଳରେ ଓବିସି ସଂଖ୍ୟାଗରିଷ୍ଠତା ରହିଛି, ସେମାନଙ୍କ ପାଇଁ ସଂରକ୍ଷିତ ଆସନ ସଂଖ୍ୟା ହ୍ରାସ ପାଇଛି। କେଉଁ ଆଧାରରେ ସରକାରଙ୍କ ଦୁଇଜଣ ବରିଷ୍ଠ ମନ୍ତ୍ରୀ ୨୭ ପ୍ରତିଶତ ସଂରକ୍ଷଣ ଓବିସି ଘୋଷଣା କରିଥିଲେ ଏବଂ ବର୍ତ୍ତମାନ ସେହି ଘୋଷଣା କଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଆସନ ସଂରକ୍ଷଣକୁ ନେଇ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସନ୍ତୋଷ ସିଂ ସାଲୁଜା କହିଛନ୍ତି ଓବିସି ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଘୋଷଣା କେବଳ ଲୋକଙ୍କୁ ଦ୍ୱନ୍ଦରେ ପକାଇବା ପାଇଁ ଉଦ୍ଦିଷ୍ଟ ଥିଲା। କେନ୍ଦ୍ର ଘୋଷଣା କରିଥିବା ଜାତି ଭିତ୍ତିକ ଜନଗଣନାର ଅଗ୍ରଗତି କେତେ ବାଟ ଗଲା ବୋଲି କହି ସେ ଉଭୟ ବିଜେଡି ଏବଂ ବିଜେପିକୁ ସେ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଅଗଷ୍ଟ ୧୩ରେ ମନ୍ତ୍ରୀ ଅରୁଣ ସାହୁ କହିଥିଲେ ତାଙ୍କ ଦଳ ବିଜେଡି ଆସନ୍ତା ପଂଚାୟତ ନିର୍ବାଚନ ଏବଂ ଆଗକୁ ହେବାକୁ ଥିବା ନିର୍ବାଚନରେ ଓବିସିରୁ ୨୭ ପ୍ରତିଶତ ପ୍ରାର୍ଥୀ ଦେବ । ସେହିପରି କିଛି ଦିନ ପୂର୍ବରୁ ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଆସନ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ କରିବାକୁ ଦାବି କରିଥିଲେ।