?????

କୋଭିଡ ଟିକାକରଣରେ ଓଡ଼ିଶା ଆଗୁଆ, ଅପଚୟରେ ଦେଶରେ ସର୍ବନମ୍ନ

ଭୁବନେଶ୍ୱର: କୋଭିଡ ଟିକାକରଣରେ ଓଡ଼ିଶା ଏକ ଆଗୁଆ ରାଜ୍ୟଭାବେ ଅଭିଯାନ ଜାରି ରଖିଛି । ଜାତୀୟ ଟିକାକରଣ ହାରଠାରୁ ରାଜ୍ୟ ଆଗୁଆ ଅଛି ଏବଂ ଟିକା ଡୋଜରେ ପ୍ରକ୍ରିୟାଗତ ଅପଚୟ ସର୍ବନିମ୍ନ ରହିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି ।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମା ରାଜ୍ୟର ବିଭିନ୍ନ ଅଂଚଳରେ ଟିକାକରଣ ସମ୍ବନ୍ଧିତ ବୈଷୟିକ ଓ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।
ଜିଲ୍ଲାଓ୍ୱାରୀ ସ୍ଥିତିର ସମୀକ୍ଷାକରି ପଂଚାୟତ ଓ ଗ୍ରାମସ୍ତରୀୟ ତୃଣମୂଳ କାର୍ଯ୍ୟଯୋଜନା ମାଧ୍ୟମରେ ଟିକାକରଣକୁ ଅଧିକ ସଘନ ଓ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଶ୍ରୀ ମହାପାତ୍ର କହିଥିଲେ ଯେ ଆମେ ବର୍ତ୍ତମାନ ମହାମାରୀର ଏକ ପରିବର୍ତ୍ତନଶୀଳ ସ୍ଥିତିରେ ଅଛୁ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବାସ୍ତବବାଦୀ ମହାମାରୀ ନିୟନ୍ତ୍ରଣ ମୋଡେଲ୍ର ସଠିକ୍ କାର୍ଯ୍ୟାନ୍ୱୟନ ଯୋଗୁ ରାଜ୍ୟରେ କୋଭିଡ୍ ସଂକ୍ରମଣ ବହୁ ପରିମାଣରେ ହ୍ରାସ ପାଇଛି । ଏହି ସମୟରେ ଟିକାକରଣକୁ ଅଧିକ ବ୍ୟାପକକରି ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିବା ଏକାନ୍ତ ଆବଶ୍ୟକ । ତୃଣମୂଳ ସ୍ତରୀୟ ଯୋଜନା ଏବଂ ଘରରୁ ଘର ସର୍ଭେ ମାଧ୍ୟମରେ ବାକି ରହିଯାଇଥିବା ୧୮ ରୁ ଉର୍ଦ୍ଧ୍ୱ ସମସ୍ତ ଲୋକଙ୍କୁ ଚିହ୍ନଟ ସହ ଟିକାଦେବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ଜଣାଇଥିଲେ ଯେ ଚଳିତ ମାସ ୧୩ ତାରିଖ ସୁଦ୍ଧା ଓଡ଼ିଶାରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମୁଦାୟ ଟିକାକରଣ ୪.୦୩ କୋଟିରୁ ଅଧିକ ହୋଇଛି । ସେଥିମଧ୍ୟରୁ ୨,୬୮,୦୪,୭୫୫ ଲୋକଙ୍କୁ ୧ମ ପାନ(ଡୋଜ୍) ଏବଂ ୧,୩୪,୯୬,୦୫୯ ଲୋକଙ୍କୁ ୨ୟ ଡୋଜ୍ ଦିଆଯାଇଥିଲା । ଜାତୀୟସ୍ତରରେ ୧୮ ବଷରୁ ଉର୍ଦ୍ଧ୍ୱ ଟିକାକରଣ ୭୯.୮ ପ୍ରତିଶତ ଥିବାବେଳେ ରାଜ୍ୟର ଟିକାକରଣ ୮୨.୪ ପ୍ରତିଶତରେ ପହଞ୍ଚିଥିଲା ।

ସେହିପରି ଏହି ସମୟ ସୁଦ୍ଧା ୨ୟ ଡୋଜ୍ ଟିକାକରଣ ଜାତୀୟସ୍ତରରେ ୩୮.୪ ପ୍ରତିଶତ ଥିବାବେଳେ ରାଜ୍ୟରେ ଏହା ୪୧.୫ ପ୍ରତିଶତରେ ପହଞ୍ଚିଥିଲା । ନଭେମ୍ବର ଶେଷସୁଦ୍ଧା ସବୁଜିଲ୍ଲାରେ ଟିକାକରଣକୁ ଅତିକମ୍ରେ ୯୦ ପ୍ରତିଶତରେ ପହଞ୍ଚାଇବା ପାଇଁ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଥିଲେ । ଡିସେମ୍ବର ଶେଷସୁଦ୍ଧା ୧ମ ଡୋଜ୍ ଟିକାକରଣକୁ ଶତପ୍ରତିଶତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ଜଣାଇଥିଲେ ଯେ ଟିକା ଡୋଜ୍ର ମହଜୁଦ, ସ୍ଥାନାନ୍ତରୀକରଣ ଏବଂ ଟିକାଦାନ ଆଦି ନିମନ୍ତେ ରାଜ୍ୟଦ୍ୱାରା ପ୍ରସ୍ତୁତ ନିର୍ଦ୍ଧାରିତ କାର୍ଯ୍ୟଧାରା(ଏସ୍.ଓ.ପି) ର ସଠିକ୍ ଅନୁପାଳନ ଯୋଗୁ ଓଡ଼ିଶାରେ କୋଭିଡ୍ ଟିକାର ପ୍ରକ୍ରିୟାଗତ ଅପଚୟ ସର୍ବନିମ୍ନ ରହିଛି । ବର୍ତ୍ତମାନ ସୁଦ୍ଧା ଅପଚୟ ବିଯୁକ୍ତ ୫.୩ ପ୍ରତିଶତ ରହିଛି । ଏହା ଫଳରେ ପ୍ରାୟ ୨୦ ଲକ୍ଷ ଡୋଜ୍ଟିକା ନଷ୍ଟହେବାରୁ ରକ୍ଷାକରାଯାଇ ପାରିଛି ଏବଂ ଅଧିକଲୋକଙ୍କୁ ଟିକା ଦିଆଯାଇ ପାରିଛି ।

ଶ୍ରୀମତୀ ପଣ୍ଡିତ୍ ଆହୁରୀ ମଧ୍ୟ କହିଥିଲେ ଯେ ବର୍ତ୍ତମାନ ଟିକା ଏବଂ ସିରିଞ୍ଜ୍ ଆଦି ଯୋଗାଣରେ ଅଭାବ ନାହିଁ । ଜିଲ୍ଲାମାନଙ୍କର ଚାହିଦା ଅନୁସାରେ ସେସବୁ ଯୋଗାଇ ଦିଆଯାଇଛି । ୧ମ ଏବଂ ୨ୟ ଡୋଜ୍ ଟିକା ସମାନ ପ୍ରକାର ବ୍ରାଣ୍ଡ୍ର ହେବା ଏକାନ୍ତ ଆବଶ୍ୟକ ବୋଲି ସେ ସ୍ପଷ୍ଟ କରିଥିଲେ । ଉଦାହରଣ ସ୍ୱରୂପ, ଯେଉଁମାନେ ୧ମ ଡୋଜ୍ କୋଭାକ୍ସିନ୍ ନେଇଛନ୍ତି ୨ ୟ ଡୋଜ୍ରେ ସେମନେ କେବଳ କୋଭାକ୍ସିନ୍ ହିଁ ନେବେ । ଏଥିପ୍ରତି ପୂର୍ଣ୍ଣ ସତର୍କ ରହିବାକୁ ଶ୍ରୀମତୀ ପଣ୍ଡିତ୍ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗଦେଇ, ସବୁ ଜିଲ୍ଲାର ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ଟିକାକରଣ ସମ୍ବନ୍ଧିତ ସଦ୍ୟତନ ସ୍ଥିତି ଏବଂ ବାଦ ରହିଥିବା ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକମାନଙ୍କର ଟିକାକରଣ ନିମନ୍ତେ କାର୍ଯ୍ୟ ଯୋଜନା ବିଷୟ ଜଣାଇଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇ ଆବଶ୍ୟକୀୟ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ ।

Related Articles

Leave a Reply

Back to top button
error: Content is protected !!