?????

ଅଫିସ ଅଫ୍ ପ୍ରୋଫିଟ ମାମଲାରୁ ମୁକ୍ତ ହେଲେ ମନ୍ତ୍ରୀ ନବ ଦାସ

ଭୁବନେଶ୍ୱର: ୨୨ ବିଜେଡି ବିଧାୟକଙ୍କୁ ଆଶ୍ୱସ୍ତି । ଏମାନଙ୍କୁ କ୍ଲିନଚିଟ୍ ଦେଇଛନ୍ତି ନିର୍ବାଚନ କମିଶନ । ବିଧାୟକ ପଦରେ ଥାଇ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦବୀରେ ଥିବାରୁ ଶାସକ ଦଳର ବିଧାୟକଙ୍କ ଉପରେ ଆସିଥିଲା ଅଫିସ ଅଫ୍ ପ୍ରୋଫିଟ୍ ଅଭିଯୋଗ । ହେଲେ ଏହା କୌଣସି ଆଇନକୁ ଉଲ୍ଲଂଘନ କରୁନାହିଁ । ତେଣୁ ସମ୍ବିଧାନର ଅନୁଚ୍ଛେଦ ୧୯୧(୧)(ଏ) ଆଧାରରେ ଏମାନେ ଅଯୋଗ୍ୟ ନୁହନ୍ତି ବୋଲି ଭାରତୀୟ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି। ଏହି ବିଧାୟକଙ୍କ ମଧ୍ୟରେ ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ଥିଲେ।

ଗତବର୍ଷ ଅଗଷ୍ଟରେ ରାଜ୍ୟ ସରକାର ୧୭ଜଣ ମନ୍ତ୍ରୀଙ୍କୁ ୧୮ଟି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ । ଏମାନଙ୍କ ମଧ୍ୟରେ ଅନ୍ୟତମ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଦୁଇଟି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦାୟିତ୍ୱରେ ଥିବାବେଳେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ରଘୁନନ୍ଦନ ଦାସ, ପ୍ରତାପ ଜେନା, ସମୀର ରଞ୍ଜନ ଦାଶ, ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି, ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ, ନବ କିଶୋର ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ଦିବ୍ୟ ଶଙ୍କର ମିଶ୍ର, ଟୁକୁନି ସାହୁ, ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂହ ଓ ପଦ୍ମନାଭ ବେହେରା ଅନ୍ୟ ୧୬ଟି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଅଛନ୍ତି ।

ସେହିପରି ଗତବର୍ଷ ରାଜ୍ୟ ସରକାର ବିଧାୟକ ଅନନ୍ତ ଦାସ, ରଘୁରାମ ପାଡାଲ, ରାଜେନ୍ଦ୍ର ଢୋଲକିଆ, ଶାରଦା ପ୍ରସାଦ ନାୟକ, ବ୍ୟୋମକେଶ ରାୟ, ପ୍ରମୋଦ କୁମାର ମଲିକ, ପ୍ରଶାନ୍ତ କୁମାର ଜଗଦେବ, ସତ୍ୟ ନାରାୟଣ ପ୍ରଧାନ, ଦେବେଶ ଆଚାର୍ଯ୍ୟ, ପ୍ରଶାନ୍ତ କୁମାର ମୁଦୁଲି, ଶ୍ରୀକାନ୍ତ ସାହୁ ଓ ମହିଧର ରଣାଙ୍କୁ ୧୨ଟି ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ଏହି ବିଧାୟକମାନେ ନିଜ ନିଜ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଅଛନ୍ତି ।

Related Articles

Leave a Reply

Back to top button
error: Content is protected !!