ଅଧାବାଟରେ ଆମ୍ୱୁଲାନ୍ସ ଖରାପ, ଉଡିଗଲା ରୋଗୀର ପ୍ରାଣବାୟୁ

ସମ୍ବଲପୁର: ରୋଗୀଙ୍କୁ ହସ୍ପିଟାଲ ନେଇ ଯାଉଥିବା ଏକ ଆମ୍ୱଲାନ୍ସ ଅଧା ରାସ୍ତାରେ ଖରାପ ହୋଇଯିବାରୁ ରୋଗୀଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁରରେ । ଯଦି ଠିକ୍ ସମୟରେ ରୋଗୀ ଜଣଙ୍କ ହସ୍ପିଟାଲରେ ପହଞ୍ଚିଥାନ୍ତେ ତାହେଲେ ରୋଗୀଙ୍କର କୌଣସି ଅସୁବିଧା ହୋଇନଥାନ୍ତା ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ସୋମବାର ସୁନ୍ଦରଗଡରୁ ଭିମସାରକୁ ଆସୁଥିଲା 108 ଆମ୍ୱଲାନ୍ସ । ତିନି ମାସ ଧରି ଅସୁସ୍ଥ ଥିବା ଗୌରୀମଣିଙ୍କୁ 108 ଆମ୍ୱୁଲାନ୍ସ ଯୋଗେ ହସ୍ପିଟାଲ ଅଣାଯାଉଥିଲା। ହେଲେ ଅପରାହ୍ନ 2ଟା 10 ସମୟରେ ରେମେଡ ଲେବଲ କ୍ରସିଂ ପାଖରେ ହଠାତ ଆମ୍ୱୁଲାନ୍ସ ଖରାପ ହୋଇଯାଇଥିଲା। ଏହାର ଭିତରେ ଆମ୍ୱୁଲାନ୍ସ ଚାଳକ ଆଉ ଏକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଆମ୍ୱୁଲାନ୍ସଟି ଆସିବା ବେଳକୁ ରୋଗୀଙ୍କର ପ୍ରାଣବାୟୁ ଉଡିଯାଇଥିଲା ବୋଲି ସୂଚନା ରହିଛି । ଠିକଣା ସମୟରେ ଡାକ୍ତରଖାନା ପହଂଚି ଥିଲେ ଗୌରୀମଣିଙ୍କ ଜୀବନ ବଂଚିଯାଇଥାନ୍ତା ବୋଲି ମୃତକଙ୍କ ସ୍ୱାମୀ ହିମାଂଶୁ କହିଛନ୍ତି। ସମ୍ବଲପୁର ଠେମରା ଗାଁର ମୂଳନିବାସୀ ହିମାଂଶୁ ନନ୍ଦ ଏବେ ସୁନ୍ଦରଗଡ଼ରେ ରହୁଛନ୍ତି। ତାଙ୍କ ସ୍ତ୍ରୀ ଗୌରୀମଣି ନନ୍ଦ ଗତ 3 ମାସ ହେଲା ଅସୁସ୍ଥ ଥିଲେ।
ଆମ୍ୱୁଲାନ୍ସ ଗୁଡିକୁ ସବୁବେଳେ ଜରୁରୀ କାର୍ଯ୍ୟରେ ବ୍ୟବହାର ହୁଏ। ତେଣୁ ଆମ୍ୱୁଲାନ୍ସକୁ ଠିକ୍ ରଖିବା ପରିଚାଳନା ବିଭାଗର କାମ। ହେଲେ ଠିକ୍ ଭାବରେ ଆମ୍ୱୁଲାନ୍ସ ଗୁଡିକର ମରାମତି ଏବଂ ରକ୍ଷଣବେକ୍ଷଣ ହେଉନଥିବାରୁ ଏପରି ସମସ୍ୟା ଉପୁଜିଛି ବୋଲି କୁହାଯାଉଛି । ତେଣୁ ସୋମବାର ଯାହା ଘଟିଲା ସେଥିପାଇଁ କିଏ ଉତ୍ତରଦାୟୀ ରହିବେ? ଯଦି ସ୍ୱାସ୍ଥ୍ୟ ବିଭାଗ ଏହାର ତଦନ୍ତ କରି ଉତ୍ତରଦାୟୀ ସ୍ଥିର କରିପାରିବ ତାହେଲେ ଆଗାମୀ ଦିନରେ ଗୌରୀମଣିଙ୍କ ଭଳି ଆଉ କାହାରା ଜୀବନ ଯିବନି ବୋଲି କୁହାଯାଇପାରିବ।