ଦୁଇ ଛୋଟ ଛୁଆ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି

ବୁର୍ଲା: ଦୁଇ ଶିଶୁ କରୋନାରେ ସଂକ୍ରମିତ ହୋଇ ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ ଚିକିତ୍ସିତ ହେଉଛନ୍ତି। ଶନିବାର କରୋନା ପରୀକ୍ଷା କରିବାବେଳେ ଏହି ଦୁଇ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ବୟସ ଯଥାକ୍ରମେ ପାଞ୍ଚ ଓ ଆଠ ବର୍ଷ।
ଭୀମସାରର ଡାକ୍ତର ଲାଲମୋହନ ନାୟକ କହିଛନ୍ତି ଯେ ଏବେ ଉଭୟ ପିଲାଙ୍କଠାରେ କୋଭିଡ ଲକ୍ଷଣ ରହିଛି। ଆଣ୍ଟିଜେନ୍ ପରୀକ୍ଷା ପରେ ଉଭୟ କୋଭିଡ୍ ପଜିଟିଭ୍ ଜଣାପଡ଼ିଥିଲା। ପରେ ଉଭୟଙ୍କୁ ହସ୍ପିଟାଲର କୋଭିଡ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି। ଏକ ଡାକ୍ତରି ଟିମ୍ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି।
କୋଭିଡର ତୃତୀୟ ଲହରରେ ଛୋଟ ପିଲାମାନେ ସର୍ବାଧିକ ସଂକ୍ରମିତ ହେବେ ବୋଲି ଦାବି ହୋଇଛି। ଦ୍ୱିତୀୟ ଲହର ବେଳେ କିଛି ପିଲା ପ୍ରଭାବିତ ହୋଇଥିବାବେଳେ ପ୍ରାୟ 90% ସଂକ୍ରମଣ ଏପର୍ଯ୍ୟନ୍ତ ସାମାନ୍ୟ ବା ଲକ୍ଷଣବିହୀନ ରହିଛି।
ଛୋଟ ପିଲା ତୃତୀୟ ଲହରରେ ଅଧିକରୁ ଅଧିକ ସଂକ୍ରମିତ ହେବେ ବୋଲି ସେଭଳି କିଛି ବୈଜ୍ଞାନିକ ପ୍ରମାଣ ନାହିଁ ବୋଲି ଆଇସିଏମଆର କହି ସାରିଛି। କିନ୍ତୁ ସମ୍ଭାବନାକୁ ଆଖିରେ ରଖି ରାଜ୍ୟରେ ଚିକିତ୍ସା ଭିତ୍ତିଭୂମି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି। ତୃତୀୟ ଲହର ସମୟରେ କରୋନା ସଂକ୍ରମିତ ପିଲାମାନଙ୍କର ଚିକିତ୍ସା ପାଇଁ ଶିଶୁ ବିଶେଷଜ୍ଞ ଏବଂ ନର୍ସମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି।