ମୋବାଇଲ ଆପ ଜରିଆରେ ଅଫର ଦେଇ ଟଙ୍କା ଲୁଟ୍ କରୁଥିବା ଠକ ଗିରଫ

ଝାରସୁଗୁଡା: ଆଜି ଜିଲ୍ଲାର ସୋରୋଡାଠାରେ ଏକ ମୋବାଇଲ୍ ଆପ୍ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରିଥିବା ଅଭିଯୋଗରେ ଝାରସୁଗୁଡା ପୋଲିସ ଜଣେ ସାଇବର ଠକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ସୁନୀଲ ରାଉତରାୟ ବୋଲି ଜଣାପଡିଛି। ଜିଲ୍ଲା ଏସପି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଅଭିଯୁକ୍ତ ଜଣକ ନବମ ଶ୍ରେଣୀ ଯାଏ ପାଠ ପଢ଼ିଛି। ହେଲେ ଏହି ଅଭିଯୁକ୍ତ ଅନେକ ଲୋକଙ୍କୁ ବିଭିନ୍ନ ଆପରେ ଅଫର ରହିଛି କହି ନିଜେ ଷଡ଼ଯନ୍ତ୍ର କରି ଠକେଇ କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିବା ଏସପି କହିଛନ୍ତି।
ମେ 10 ରେ, ସେ ମୋବାଇଲ ଆପ ଜରିଆରେ ଜଣେ ଡାକ୍ତରଙ୍କ ଠାରୁ 10,000 ଟଙ୍କା ଲୁଟ୍ କରିଥିଲା ଏହି ଅଭିଯୁକ୍ତ। ଏ ସମ୍ପର୍କରେ ଠକେଇର ଶିକାର ଡାକ୍ତର ଜଣଙ୍କ ଝାରସୁଗୁଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରି ସୋରୋଡାର ଏହି ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ପାଖରୁ ପୋଲିସ 11 ଟି ମୋବାଇଲ୍ ଫୋନ୍, 28 ଟି ସିମ୍ କାର୍ଡ ଏବଂ 15 ଟି ଏଟିଏମ୍ କାର୍ଡ ଜବତ କରିଛି।ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଧିକ ତଦନ୍ତ ଚାଲିଛି ବୋଲି ଜଣେ ଅଧିକାରୀ କହିଛନ୍ତି।