ନୋଏଡାରୁ ଗ୍ୱାଲିଅର ଲମ୍ୱିଛି ନକଲି ଔଷଧ ରାକେଟ୍, ମଧ୍ୟସ୍ଥି ସାଜିଛି କଟକ

0
59

ଭୁବନେଶ୍ୱର: ନକଲି ଔଷଧର ରାକେଟ ନୋଏଡାରୁ ଗ୍ନାଲିଅର ଲମ୍ୱିଛି। ଏଥିପାଇଁ କଟକର ପାଲଟିଛି ମାଧ୍ୟମ। ଏହି ନକଲି ଔଷଧର ତଦନ୍ତ କରିବା ପାଇଁ ଓଡ଼ିଶା ପୁଲିସ ଏବଂ ଡ୍ରଗ୍ସ ଅଧିକାରୀଙ୍କୁ ନେଇ ତିଆରି ହୋଇଥିବା ସ୍କାର୍ଡ ଟିମର ଡ୍ରଗ୍ସ ଅଧିକାରୀ ଏଏସ ଦାସ ଶନିବାର ଏହା କହିଛନ୍ତି। ପ୍ରାଥମିକ ତଦନ୍ତ ପରେ ଏହି ସୂଚନା ଦେଇଛନ୍ତି ଡ୍ରଗ୍ସ ଅଧିକାରୀ।

ପାଖାପାଖି 40 ହଜାର 600 ନକଲି ଫାଭିପିରାଭିର (କରୋନା ଔଷଧ) ଗ୍ୱାଲିଅରକୁ ପଠାଯାଇଥିବା ସେ କହିଛନ୍ତି। ଏବେ ଗ୍ୱାଲିଅର ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଯାଇଥିବା ସେ କହିଛନ୍ତି। ପ୍ରାଥମିକ ତଦନ୍ତ ବେଳେ କଟକରୁ 17 ହଜାର ନକଲି ଫାଭିପିରାଭିର ଔଷଧ ଜବତ ହୋଇଛି। ଏହି ଔଷଧ କିନ୍ତୁ କୌଣସି କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ବ୍ୟବହାର ହୋଇନଥିବା ଡ୍ରଗ୍ସ ଅଧିକାରୀ ଏଏସ ଦାସ କହିଛନ୍ତି। ତେବେ ନୋଏଡାରୁ ଗ୍ୱାଲିଅର ଦୂରତା କମ୍ ରହିଥିବା ବେଳେ ଓଡ଼ିଶା ଦେଇ ଏହି ନକଲି ଔଷଧ କାହିଁକି ଗ୍ୱାଲିଅରକୁ ଯାଉଛି ତାହା ଏବେ ତଦନ୍ତ ସାପେକ୍ଷ।

ସୂଚନାଯୋଗ୍ୟ, କଟକର କାନିକା ଛକରେ ଥିବା ଏକ ଔଷଧ ଦୋକାନ ଉପରେ ଏକ ସ୍କାର୍ଡ ଟିମ୍ ଚଢ଼ାଉ କରିଥିଲେ। ଏହି ସମୟରେ ଫାଭିପିରାଭିର ନାମରେ ବିକ୍ରି ହେଉଥିବା 17,000 ଜାଲ ଔଷଧ ଜବତ କରିଥିଲା ଡ୍ରଗ୍ସ ଟିମ୍। ଯେଉଁ କମ୍ପାନୀର ଔଷଧ ଜବତ ହୋଇଛି ସେହି କମ୍ପାନୀ ହିମାଚଳ ପ୍ରଦେଶର ସୋଲାନରେ ରହିଥିବା ସୂଚନା ମିଳିଛି। ତେବେ ହିମାଚଳ ପ୍ରଦେଶରେ ସେପରି ନିର୍ମାତା ନାହାଁନ୍ତି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।