ଝାରସୁଗୁଡ଼ା ଜିଲ୍ଲାରେ ୧୦୦ଟି ଅକ୍ସିଜେନ ସିଲିଣ୍ଡରର ଲୋକାର୍ପଣ କଲେ ଧର୍ମେନ୍ଦ୍ର
ଝାରସୁଗୁଡ଼ା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡ଼ା ଜିଲ୍ଲାରେ ୧୦୦ଟି ଅକ୍ସିଜେନ ସିଲିଣ୍ଡରର ଲୋକାର୍ପଣ କରିଛନ୍ତି। ଭିଡିଓ କନଫରେନସିଂ ଜରିଆରେ ସେ ଏହି ସେବାର ଉଦଘାଟନ କରିଛନ୍ତି। ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଞ୍ଚ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଭାରତୀୟ ମାରୱାଡ଼ି ଯୁବା ମଞ୍ଚର ରାଷ୍ଟ୍ରୀୟ ଅଧ୍ୟକ୍ଷ କପିଲ ଲୋଝୋଟିଆ, ମାରୱାଡି ଯୁବ ମଞ୍ଚର ପ୍ରାନ୍ତୀୟ ଅଧ୍ୟକ୍ଷ ନରେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।
କୋଭିଡର ଦ୍ୱିତୀୟ ଲହର ବେଳେ ଝାରସୁଗୁଡା ପ୍ରଭାବିତ ହୋଇଛି। ଆଗକୁ ତୃତୀୟ ଲହର ଆସିବାର ଯୋଜନା ରହିଛି। ତେଣୁ ଜିଲ୍ଲା ତଥା ରାଜ୍ୟରେ ଯେଭଳି ଅକ୍ସିଜେନ ସିଲିଣ୍ଡରର ଅଭାବ ନରହିବ ସେଥିପ୍ରତି ଗୁରୁତ୍ୱ ଦେଇଛି ମାରଓ୍ୱାଡି ଯୁବ ମଞ୍ଚ। ଆଗାମୀ ଦିନରେ ଲୋକଙ୍କ ପାଖରେ ଏହି ସେବା ପହଞ୍ଚିବା ପରେ ଅନେକ ଜୀବନ ରକ୍ଷା ହୋଇପାରିବ ବୋଲି କୁହାଯାଉଛି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଓଡ଼ିଶା ପ୍ରାନ୍ତୀୟ ମାରଓ୍ୱାଡ଼ି ଯୁବ ମଞ୍ଚ’ କୋଭିଡ୍ ସଂକ୍ରମିତଙ୍କ ସମେତ ଅସହାୟଙ୍କୁ ଖାଦ୍ୟ ବାଣ୍ଟିବା, ପ୍ଲାଜମା ଦାନ, ଆମ୍ବୁଲାନ୍ସ ଏବଂ ଅକ୍ସିଜେନ୍ ସିଲିଣ୍ଡର ବ୍ୟବସ୍ଥା ସହ ମଞ୍ଚର ଯୁବ କାର୍ଯ୍ୟକର୍ତ୍ତା ମାନେ ଦିନରାତି କାମ କରିବା ପ୍ରଶଂସନୀୟ। ଆଜିର ବ୍ୟବସ୍ଥା ପାଇଁ ଏହି ସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ଜଣାଉଛି।