ଧାନ କିଣାରେ ବିଳମ୍ବ ଅଭିଯୋଗ, ଜିଲ୍ଲାପାଳଙ୍କୁ ଆନ୍ଦୋଳନର ଚେତାବନୀ ଦେଲା ଚାଷୀ

ଝାରସୁଗୁଡା: ସାତ ଦିନ ମଧ୍ୟରେ ଚାଷୀଙ୍କ ପାଖରୁ ସରକାର ଧାନ ନକିଣିଲେ ଆନ୍ଦୋଳନ ହେବ । ଜିଲ୍ଲାପାଳଙ୍କୁ ଭେଟି ଏପରି ଚେତାବନୀ ଦେଇଛି ଚାଷୀ । ଏଥିସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଯଦି ସାତ ଦିନ ମଧ୍ୟରେ ପ୍ରଶାସନ ଦାବି ନଶୁଣିବ ତାହେଲେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଧର୍ମଘଟ କରାଯିବ ବୋଲି ଚାଷୀ କହିଛନ୍ତି।
ଚାଷୀ ଦେଇଥିବା ସ୍ମାରକପତ୍ରରେ କହିଛନ୍ତି 2020ରେ 25 ନଭେମ୍ବରରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା, କିନ୍ତୁ ଚଳିତ ବର୍ଷ ଏବେ ସୁଦ୍ଧା ଧାନ କିଣା ଆରମ୍ଭ ହୋଇନାହିଁ। ଯଦି ସାତ ଦିନ ମଧ୍ୟରେ ଧାନ କିଣା ଆରମ୍ଭ ନହୁଏ ତେବେ ସେମାନେ ଧର୍ମଘଟ କରିବେ। ଅନ୍ୟପଟେ ପିଏସିଏସ ଏବଂ ଏଲଏଏମପିଏସରର କର୍ମଚାରୀ ତଥା ଡାଟା ଏଣ୍ଟ୍ରି ଅପରେଟର ମାନେ ବିଭିନ୍ନ ଦାବି ନେଇ ଧର୍ମଘଟରେ ବସିଥିବା ଯୋଗୁଁ ଧାନ କିଣାରେ ବିଳମ୍ବ ବା ବାଧା ହେଉଥିବା ସୂଚନା ରହିଛି ।
ସ୍ଥାନୀୟ କୃଷକ ନେତା ଦିଲୀପ ବାଦେଇ କହିଛନ୍ତି, 6 ନଭେମ୍ବର 2021ରେ ଆମର ଏକ ଜିଲ୍ଲା ସ୍ତରୀୟ ଧାନ କିଣା କମିଟି ବୈଠକ ବସିଥିଲା । ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ 7 ଡିସେମ୍ବରରୁ ଧାନ କିଣା ଆରମ୍ଭ ହେବ କିନ୍ତୁ ଏପର୍ଯ୍ୟନ୍ତ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ । କିନ୍ତୁ ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନି କି ସୂଚନା ଦେଇନାହିଁ। ସରକାର ରେଗୁଲେଟେଡ୍ ମାର୍କେଟ କମିଟି ଜରିଆରେ ଧାନ କିଣିବାକୁ ଆଗ୍ରହ ଦେଖାଉ ନାହାଁନ୍ତି। ଯଦି ସାତ ଦିନ ମଧ୍ୟରେ ଧାନ କିଣାନଯାଏ ତେବେ ଆମେ ଏକ ବଡ ବିରୋଧ ପ୍ରଦର୍ଶନ କରିବୁ।
ସେହିପରି ଝାରସୁଗୁଡା ସିଭିଲ୍ ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ଝାରସୁଗୁଡା ଜିଲ୍ଲାରେ ଏହି ଋତୁରେ ମୋଟ 18966 ଚାଷୀଙ୍କୁ ଚିହ୍ନଟ କରାଯାଇଛି ଏବଂ DLPC ବୈଠକ ଅନୁଯାୟୀ 7 ଡିସେମ୍ବରରୁ ଧାନ କିଣା ଆରମ୍ଭ ହେବା ଉଚିତ କିନ୍ତୁ ପିଏସିଏସ ସେକ୍ରେଟେରୀ ଏବଂ ଡାଟା ଏଣ୍ଟ୍ରି ଅପରେଟରଙ୍କ ଧର୍ମଘଟ ଯୋଗୁଁ, ବର୍ତ୍ତମାନ ସମୟ 24 ଡିସେମ୍ବର ପରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇପାରେ।