ଚୌଦ୍ୱାର ଜେଲରେ ହେବ ଗୋପାଳର ମାନସିକ ସ୍ବାସ୍ଥ୍ୟ ଯାଞ୍ଚ
ଝାରସୁଗୁଡା: ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସର ହେବ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ। ଚୌଦ୍ୱାର ସର୍କଲ ଜେଲରେ ମାନସିକ ପରୀକ୍ଷା ହେବ ବୋଲି ସୋମବାର ଝାରସୁଗୁଡ଼ା ଜେଏମଏଫସି କୋର୍ଟ କହିଛନ୍ତି।
କ୍ରାଇମବ୍ରାଞ୍ଚ ବେଙ୍ଗାଲୁରୁର ନିମହାନ୍ସରେ ଗୋପାଳ ଦାସର ମାନସିକ ପରୀକ୍ଷା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ କୋର୍ଟ ନିମହାନ୍ସ ପରିବର୍ତ୍ତେ ଗୋପାଳ ଦାସର ମାନସିକ ସ୍ୱାସ୍ଥ୍ୟର ମୂଲ୍ୟାୟନ ବର୍ତ୍ତମାନ ଚୌଦ୍ୱାର ସର୍କଲ ଜେଲରେ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକୁ ତର୍ଜମା କରାଯାଉଛି ଏବଂ ଏହା ଉପରେ ଅଧିକ ଆଇନର ଆଶ୍ରୟ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ କହିଛି।
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୨୪ ଦିନ ବିତିଯାଇଥିଲେ ମଧ୍ୟ ଏହାର ଉଦ୍ଦେଶ୍ୟ ଓ କାରଣ ସ୍ପଷ୍ଟ କରିନାହିଁ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଦାବି କରିଛି, ଗୁଜରାଟରେ ନାର୍କୋ ଟେଷ୍ଟ ବେଳେ ଗୋପାଳ ଦାସ ଜାନୁଆରୀ ୨୯ ତାରିଖରେ କିଭଳି ସର୍ବସାଧାରଣରେ ନବ ଦାସଙ୍କୁ ଗୁଳିମାଡ଼ କରି ହତ୍ୟା କରିଥିଲା। ସେ ଏପରି କାହିଁକି ନିଷ୍ପତ୍ତି ନେଲା ସେ ସମ୍ପର୍କରେ ସବୁକିଛି କହିଥିଲା। ନାର୍କୋ ଟେଷ୍ଟ ବେଳେ ଅଭିଯୁକ୍ତ ମଧ୍ୟ ଗୁଳି କରିବା ସମୟରେ ନିଜ ମାନସିକ ସ୍ଥିତି ବିଷୟରେ ସ୍ୱୀକାର କରିଥିବା ଜଣାପଡ଼ିଛି।