ସୁସ୍ଥତା ହାର ୯୫.୦୭%କୁ ବୃଦ୍ଧି, ଦୈନିକ ପଜିଟିଭିଟି ହାର ୪.୩୯%କୁ ହ୍ରାସ

0
56

ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସକାଳ ନଅଟାରେ ଜାରି କରିଥିବା କୋଭିଡ ରିପୋର୍ଟ ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪,୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ରମାଗତ ୫ ଦିନ ଧରି ଦେଶରେ ନୂଆ କରୋନା ମାମଲା ୧ ଲକ୍ଷ ତଳେ ରହୁଛି। କ୍ରମାଗତ ଭାବେ ସକ୍ରିୟ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ଦେଶରେ ଆଜି ସକ୍ରିିୟ ମାମଲା ରହିଛି ୧୦,୮୦,୬୯୦ । କ୍ରମାଗତ ୧୨ ଦିନ ଧରି ଏହା ୨୦ ଲକ୍ଷ ତଳେ ରହିପାରିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୪୦,୯୮୧ ହ୍ରାସ ହୋଇଛି ଏବଂ ଏବେ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୩.୬୮% ରହିଛି ସକ୍ରିୟ ମାମଲା ।

କୋଭିଡ ସଂକ୍ରମଣରୁ ଦୈନିକ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ କ୍ରମାଗତ ୩୦ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୨୧,୩୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଆସିଥିବା ନୂଆ କରୋନା ମାମଲା ତୁଳନାରେ ଅଧିକ ୩୬,୯୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ୨,୭୯,୧୧,୩୮୪ ଜଣ ଆକ୍ରାନ୍ତ କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧,୨୧,୩୩୧ ଜଣ ସୁସ୍ଥ ହୋଇଛନ୍ତି । ଏହା ଯୋଗୁ ସୁସ୍ଥତା ହାର ୯୫.୦୭% ରହିଛି ଏବଂ ଯାହାକି କ୍ରମେ ବୃଦ୍ଧି ପାଉଛି।

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୯,୨୦,୪୭୭ ଟେଷ୍ଟ କରାଯାଇଛି। ଭାରତରେ ଏ ପର୍ଯ୍ୟନ୍ତ ମୋଟ ୩୭.୬୨ କୋଟି (୩୭,୬୨,୩୨,୧୬୨)ରୁ ଅଧିକ ଟେଷ୍ଟ କରାଯାଇଛି।

ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି କରାଯାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଏବେ ସାପ୍ତାହିକ ପଜିଟିଭିଟି ହାର ୪.୯୪% ଥିବା ବେଳେ ଦୈନିକ ପଜିଟିଭିଟି ହାର ଆଜି ଅଛି ୪.୩୯%। ଏହା ବିଗତ ୧୯ ଦିନ ଧରି ୧୦% ତଳେ ରହିଛି।