ଜୁଲାଇ ପହିଲାରୁ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ
ନୂୂଆଦିଲ୍ଲୀ: ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାରକୁ ୨୦୨୨ ସୁଦ୍ଧା ପର୍ଯ୍ୟାୟ କ୍ରମେ ବହିଷ୍କାର କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆ ଯାଇଥିବା ଆହ୍ୱାନ ଅନୁସାରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ୧୨ ଅଗଷ୍ଟ ୨୦୨୧ରେ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ସଂଶୋଧନ ନିୟମ ଅଧିସୂଚିତ କରିଛନ୍ତି ।
ଆଜାଦୀର ଅମୃତ ମହୋତ୍ସବ ଭାବନାକୁ ଆହୁରି ଅଧିକ ଆଗେଇ ନେଇ, ଦେଶ ଦ୍ୱାରା ଅଳିଆ ଆବର୍ଜନା ଏବଂ ଅଣପରିଚାଳିତ ପ୍ଲାଷ୍ଟିକ୍ ଆବର୍ଜନା ଯୋଗୁଁ ହେଉଥିବା ପ୍ରଦୂଷଣକୁ ରୋକିବା ନିମନ୍ତେ ଏକ ନିର୍ଣ୍ଣାୟକ ପଦକ୍ଷେପ ନିଆ ଯାଉଛି । ଭାରତ ୧ ଜୁଲାଇ ୨୦୨୨ରୁ ସମଗ୍ର ଦେଶରେ ଚିହ୍ନଟ କରା ଯାଇଥିବା ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକ, ଯାହାର ଉପଯୋଗିତା କମ୍ ଏବଂ ଆବର୍ଜନା ସୃଷ୍ଟି କରିବାର ସାମର୍ଥ୍ୟ ଅଧିକ ଅଟେ, ସେଗୁଡିକର ଉତ୍ପାଦନ, ଆମଦାନୀ, ଗଚ୍ଛିତ କରଣ, ବିତରଣ, ବିକ୍ରି ଏବଂ ବ୍ୟବହାର ଉପରେ ନିଷେଧାଦେଶ ଲଗାଇବ ।
ସାମୁଦ୍ରିକ ବାତାବରଣ ସହିତ ସ୍ଥଳ ଭାଗ ଏବଂ ଜଳ ଭାଗର ପାରିବେଶିକ ବ୍ୟବସ୍ଥା ଉପରେ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକର ପ୍ରତିକୂଳ ପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱ ସ୍ତରରେ ସ୍ୱୀକାର କରା ଯାଇଛି । ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକ କାରଣରୁ ହେଉଥିବା ପ୍ରଦୂଷଣକୁ ଦୂର କରିବା ସମସ୍ତ ଦେଶ ଗୁଡିକ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପାରିବେଶିକ ଆହ୍ୱାନ ହୋଇ ଯାଇଛି ।
୨୦୧୯ରେ ଅନୁଷ୍ଠିତ ଚତୁର୍ଥ ମିଳିତ ଜାତିସଂଘର ପରିବେଶ ସଭାରେ, ଭାରତ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକର ପ୍ରଦୂଷଣ ସମ୍ପର୍କରେ ସମ୍ବୋଧିତ କରି ଏକ ପ୍ରସ୍ତାବର ସଂଚାଳନ କରିଥିଲା, ଯେଉଁଥିରେ ବିଶ୍ୱ ସମୁଦାୟକୁ ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିବା ନିମନ୍ତେ ଜରୁରୀ ଆବଶ୍ୟକତା ରହିଥିବା ସ୍ୱୀକାର କରା ଯାଇଥିଲା । ୟୁଏନ୍ଇଏ ୪ରେ ଏହି ପ୍ରସ୍ତାବକୁ ଗ୍ରହଣ କରିବା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା । ନିକଟରେ ମାର୍ଚ୍ଚ ୨୦୨୨ରେ ସମ୍ପନ୍ନ ହୋଇଥିବା ମିଳିତ ଜାତିସଂଘ ପରିବେଶ ସଭାର ପଂଚମ ଅଧିବେଶନରେ, ଭାରତ ପ୍ଲାଷ୍ଟିକ୍ ପ୍ରଦୂଷଣ ଉପରେ ବିଶ୍ୱ ଅଭିଯାନ କାର୍ଯ୍ୟର ସଙ୍କଳ୍ପ ଉପରେ ଏକ ସାଧାରଣ ସହମତିକୁ ବିକଶିତ କରିବା ନିମନ୍ତେ ସମସ୍ତ ସଦସ୍ୟ ରାଷ୍ଟ୍ର ଗୁଡିକ ସହିତ ଗଠନମୂଳକ ଭାବରେ ଯୋଡି ହୋଇଥିଲା ।
ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଭାରତ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ନିଷେଧ କରା ଯାଇଥିବା ସାମଗ୍ରୀ ଗୁଡିକର ତାଲିକାରେ ପ୍ଲାଷ୍ଟିକ୍ କାଠି ଲାଗିଥିବା କାନ ସଫା କରାଯାଉଥିବା ବଡ୍, ବେଲୁନ୍ ପାଇଁ ବ୍ୟବହାର କରା ଯାଉଥିବା ପ୍ଲାଷ୍ଟିକ୍, ପ୍ଲାଷ୍ଟିକ୍ ପ୍ରସ୍ତୁତ ପତାକା, କ୍ୟାଣ୍ଡିର କାଠି, ଆଇସ୍କ୍ରିମ୍ରେ ବ୍ୟବହାର କରାଯାଉଥିବା କାଠି, ସାଜସଜା ନିମନ୍ତେ ବ୍ୟବହୃତ ହେଉଥିବା ପଲଷ୍ଟିରିନ୍ (ଥର୍ମୋକଲ୍), ପ୍ଲାଷ୍ଟିକର ପ୍ଲେଟ୍, କପ୍, ଗ୍ଲାସ୍, ପ୍ଲାଷ୍ଟିକ୍ର କଟଲେରୀ, ଯଥା, ପ୍ଲାଷ୍ଟିକ୍ କଂଟା ଚାମଜ, ଛୁରୀ, ଚାମଚ, ନଳୀ, ଟ୍ରେ, ମିଠା ବାକ୍ସ ଉପରେ ଗୁଡା ଯାଉଥିବା ରାପର, ନିମନ୍ତ୍ରଣ କାର୍ଡ, ସିଗାରେଟ୍ ଖୋଳ, ୧୦୦ ମାଇକ୍ରୋନ୍ରୁ କମ୍ ପ୍ଲାଷ୍ଟିକ୍ କିମ୍ବା ପିଭିସି ବ୍ୟାନର, ଷ୍ଟିରର୍ ଇତ୍ୟାଦି ସାମିଲ୍ ରହିଛି ।