ଗନ ପଏଣ୍ଟରେ ବ୍ୟାଙ୍କରୁ 2 ଲକ୍ଷ 87 ହଜାର ଲୁଟ୍, ଝାରସୁଗୁଡା ଅଭିମୁଖେ ଲୁଟେରା !

ସୁନ୍ଦରଗଡ଼: ଦିନ ଦ୍ୱିପ୍ରହରରେ ଲୁଟ୍। ତା ପୁଣି ଏକ ବ୍ୟାଙ୍କରୁ। ଆଜି ସୁନ୍ଦରଗଡ ଜିଲ୍ଲାର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତମାନେ ବନ୍ଧୁକ ମୁନରେ 2 ଲକ୍ଷ 87 ହଜାର ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ବିଜୁ ଏକ୍ସପ୍ରେସ୍ ରୋଡ଼ରେ ଥିବା କିରେଇ ଶାଖାରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ଲୁଟ୍ ବେଳେ ବ୍ୟାଙ୍କରେ ସୁରକ୍ଷାକର୍ମୀ ନିୟୋଜିତ ଥିଲେ କି ନାହିଁ ତାହା ବ୍ୟାଙ୍କ ତରଫରୁ ସୂଚନା ମିଳିପାରି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଦୁଇ ଜଣ ବାଇକରେ ବ୍ୟାଙ୍କକୁ ଆସିଥିଲେ। କରୋନା ପାଇଁ ଯେମିତି ସମସ୍ତେ ମାସ୍କ ସହିତ ମୁହଁ ଘୋଡ଼ାଇ ରହୁଛନ୍ତି ସମାନ ନୀତି ଆପଣାଇ ଡକାୟତ ମାନେ ଏହି ବ୍ୟାଙ୍କକୁ ଆସିଥିଲେ ବୋଲି ସୂଚନା ରହିଛି। ସୁରକ୍ଷା କର୍ମୀ ଅସୁସ୍ଥ ନଥିବାରୁ ଏମାନେ ନିର୍ଭୟରେ ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ। ଆଉ ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କ ପାଖରୁ ଲୁଟ୍ କରିଥିଲେ ଟଙ୍କା। ଏଥିସହ ବ୍ୟାଙ୍କର କ୍ୟାଶିଅର ସିଟରେ ବସିଥିବା ମହିଳା ଅଧିକାରୀଙ୍କ ପାଖରୁ ତାଙ୍କର ସୁନା ଚେନ୍ ଲୁଟି ନେଇଥିବା ସୂଚନା ରହିଛି।
ବ୍ୟାଙ୍କ ମ୍ୟାନେଜର ଏ ନେଇ ପୁଲିସକୁ ଖବର ଦେଇଥିଲେ। ପରେ ଏକ ପୁଲିସ୍ ଟିମ୍ ଆସି ତଦନ୍ତ କରିଥିବା ସୂଚନା ରହିଛି। ଜିଲ୍ଲାର ଏସ୍ପି ସାଗରିକା ନାଥ ଏହି ମାମଲାର ତଦନ୍ତ କରୁଥିବା ସୂଚନା ରହିଛି। ତଦନ୍ତ କରିବା ବେଳେ ଜଣାପଡ଼ିଛି ଯେ ଲୁଟେରା ଦୁଇ ଜଣ ଝାରସୁଗୁଡା ଅଭିମୁଖେ ଆସିଛନ୍ତି। ଜବତ ହୋଇଥିବା ସିସି ଟିଭିରୁ ଏହି ସୂଚନା ମିଳିଛି।