?????

ମନ୍ତ୍ରୀଙ୍କ ମୃତ୍ୟୁ ପଛର ଗୁମର ଖୋଲିବ ଅଭିଯୁକ୍ତର ମୋବାଇଲ କଲ ରେକର୍ଡ?

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଅରୁଣ ବୋଥ୍ରା ଅନ୍ୟ ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଘଟଣାସ୍ଥଳରେ ପହଁଚିଛନ୍ତି। ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି 7 ଜଣିଆ ଟିମ୍। ଯାହାର ନେତୃତ୍ୱ ନେବାକୁ ଡିଏସପି ରମେଶ ଚନ୍ଦ୍ର ଦୋରା ନିୟୋଜିତ ହୋଇଛନ୍ତି।

ଏହି ଟିମରେ ସାଇବର ବିଶେଷଜ୍ଞ, ବାଲାଷ୍ଟିକ ଏକ୍ସପୋର୍ଟ ଏବଂ କ୍ରାଇମବ୍ରାଞ୍ଚର କିଛି ଦକ୍ଷ ଅଧିକାରୀ ନିୟୋଜିତ ହୋଇଛନ୍ତି। ତେବେ ଏହା ଏକ ଗମ୍ଭୀର ମାମଲା ହୋଇଥିବାରୁ ଅରୁଣ ବୋଥ୍ରା ପ୍ରତ୍ୟକ୍ଷ ଭାବେ ସେ ଏହି ଘଟଣାର ଅନୁଧ୍ୟାନ କରୁଥିବା ସୂଚନା ମିଳିଛି।

ଡିଏସପି ଦୋରା ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ସ୍ଥିତି ଯାଞ୍ଚ କରିଛନ୍ତି। ଘଟଣାସ୍ଥଳରୁ ମିଳିଥିବା ଖୋକା, ରକ୍ତ ନମୁନା, ମୋବାଇଲ ଫୋନ୍, ଅଭିଯୁକ୍ତର ବନ୍ଧୁକ ଆଦି ସଂଗ୍ରହ କରାଯାଇଛି। ଏହି ବନ୍ଧୁକକୁ ବାଲାଷ୍ଟିକ ଟିମ୍ ଯାଞ୍ଚ କରିବ ବୋଲି ସୂଚନା ରହିଛି।

ଅନ୍ୟପଟେ ଏହି ଘଟଣାର ଅଭିଯୁକ୍ତ କୁହାଯାଉଥିବା ଗୋପାଳ ଦାସଙ୍କୁ ବ୍ରଜରାଜନଗର ପୋଲିସଠାରୁ ସମ୍ବଲପୁର ପୋଲିସ ନିଜେ ହେପାଜତକୁ ନେଇ ଏକ ଅଜ୍ଞାତ ସ୍ଥାନରେ ରଖିଛି। ସେଠାରେ ତାଙ୍କୁ ଜେରା କରାଯାଉଥିବା ସୂଚନା ରହିଛି। ଏଡିଜି ଅରୁଣ ବୋଥ୍ରାଙ୍କ ସମେତ ବିଭିନ୍ନ ଅଧିକାରୀ ଗୋପାଳ ଦାସଙ୍କୁ ପଚରାଉଚରା କରି ଏହି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିବେ ବୋଲି ସୂଚନା ରହିଛି ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ବିଭିନ୍ନ ଆଡେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Related Articles

Leave a Reply

Back to top button
error: Content is protected !!