ସାବଧାନ ମୋବାଇଲକୁ ଆସୁଛି ଠକେଇ ଲିଙ୍କ୍: ଆପ୍ ଅପଡେଟ୍ ନାଁରେ ୮୫ ଲକ୍ଷ ଲୁଟ୍
ବ୍ରଜରାଜନଗର: ଏସବିଆଇ ୟନୋ ଆପ୍ ଅପଡେଟ୍ ନାଁରେ ଲୁଟ୍। ତିନୋଟି ପର୍ଯ୍ୟାୟରେ ୮୫ ଲକ୍ଷ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଠକେଇର ଶିକାର ହୋଇଛନ୍ତି ବ୍ରଜରାଜନଗର ମୁଖ୍ୟ ମାର୍କେଟ ନିବାସୀ ଅଭିଜିତ ମଜୁମଦାର। ତିନୋଟି ପର୍ଯ୍ୟାୟରେ ୮୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ହେଲେ ଏସବିଆଇ ବ୍ୟାଙ୍କରେ ଏ ନେଇ ଅଭିଯୋଗ କରିବା ପରେ ଆକାଉଣ୍ଟକୁ ୧୦ ହଜାର ଟଙ୍କା ଫେରିଆସିଥିବା ସୂଚନା ରହିଛି।
ମିଳିଥିବା ସୂଚନା ଅନୁସାରେ ଜାନୁଆରି ୨୦ରେ ଅଭିଜିତଙ୍କ ମୋବାଇଲକୁ ଏକ ଲିଙ୍କ ଆସିଥିଲା। ଏହି ଲିଙ୍କ ଏସ୍ବିଆଇ ୟୁନୋ ଅପ୍ଡେଟ୍ କରିବାକୁ ଉଦ୍ଦିଷ୍ଟ ବୋଲି ଉଲ୍ଲେଖ ରହିଥିଲା। ଏହାପରେ ଅଭିଜିତ୍ ଲିଙ୍କ୍ ଉପରେ କ୍ଲିକ୍ କରି ଓଟିପି ଦେଇ ବଢି ଚାଲିଥିଲେ। ପରେ ୩ଟି ପର୍ଯ୍ୟାୟରେ ୬୦ ହଜାର, ୨୫ ହଜାର ଓ ୧୦ ହଜାର ଟଙ୍କା ଲୁଟ୍ ହୋଇଥିଲା।
ଏହାପରେ ଅଭିଜିତ୍ ବ୍ରଜରାଜନଗର ଷ୍ଟେଟ୍ ବ୍ୟାଙ୍କରେ ସମସ୍ତ ଘଟଣା ବାବଦରେ ଜଣାଇଥିଲେ। ଆଉ ବ୍ୟାଙ୍କ କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ପଦକ୍ଷେପ ନେବା ପରେ ୧୦ ହଜାର ଟଙ୍କା ବ୍ୟାଙ୍କ ଖାତାକୁ ଫେରିଛି। ଏହି ସୂଚନା ଦେଇଛନ୍ତି ଠକେଇର ଶିକାର ବ୍ୟକ୍ତି ଅଭିଜିତଙ୍କ କାକା ଡ. ସ୍ୱଜନ ମଜୁମଦାର।
ଅଭିଜିତ କାଂଶବାହାଲରେ ରହୁନ୍ତି। କିନ୍ତୁ ସେ ତାଙ୍କ ଷ୍ଟେଟ୍ବ୍ୟାଙ୍କ ଆକାଉଣ୍ଟ ବ୍ରଜରାଜନଗର ଥାନା ଅଧୀନରେ ରହିଛି। ତେଣୁ ରାଜଗାଙ୍ଗପୁର ପୁଲିସ ସେଠାକୁ ମାମଲା ସ୍ଥାନାନ୍ତର କରିଛି। ବୁଧବାର ଠକେଇର ଶିକାର ବ୍ୟକ୍ତି ଅଭିଜିତଙ୍କ ବାପା ଓ କାକା ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁଙ୍କୁ ଭେଟି ମାମଲା ସମ୍ପର୍କରେ ଅବଗତ କରାଇଥିଲେ।