ଝାରସୁଗୁଡା: ଦେଢ଼ ବର୍ଷ ପରେ ଜଣେ ନିଖୋଜ ବ୍ୟକ୍ତିର କଙ୍କାଳ ଉଦ୍ଧାର ହୋଇଛି। ଲଖନପୁର ବ୍ଲକ ଅନ୍ତର୍ଗତ ବାନ୍ଧବହାଲ ଶାନ୍ତି ନଗର ଠାରେ 2020 ମସିହା ଜୁନ 16 ତାରିଖରେ ନିଖୋଜ ହୋଇଥିଲେ ଜଣେ ଯୁବକ। ଏବେ ତାଙ୍କର ମୃତଦେହ ପାଇଖାନା ସେଫଟି ଟାଙ୍କିରୁ ଉଦ୍ଧାର କରିଛି ବନହରପାଳ ପୋଲିସ l
ଯୁବକ ଜଣକ ସୁନ୍ଦରଗଡ଼ ଲହୁଣୀପଡ଼ାର ଆମତାପାଳି ଡମ୍ବରୁଧର ପାତ୍ର ବୋଲି ପୋଲିସ ସୂଚନା ରହିଛିl ଡମ୍ବରୁଧରଙ୍କୁ ତାଙ୍କ ସ୍ତ୍ରୀ ଦମୟନ୍ତୀ ନାୟକ ଓ ଶଳା ଲମ୍ବୋଦର ନାୟକ ହତ୍ୟା କରିଥିବା ସୂଚନା ରହିଛି l ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି l ଅଭିଯୁକ୍ତ ଦ୍ବୟ ଡମ୍ବରୁଧରଙ୍କୁ ହତ୍ୟା କରି ବନ୍ଧବାହାଲ ସ୍ଥିତି ତାଙ୍କ ଘର ପାଇଖାନାର ସେଫଟି ଟାଙ୍କିରେ ପୋତି ଦେଇଥିଲେ l ଦେଢ଼ ବର୍ଷ ପରେ ପୋଲିସ ସେଫଟି ଟାଙ୍କି ଖୋଲି ଡମ୍ବରୁଧରଙ୍କ କଙ୍କାଳ ଉଦ୍ଧାର କରିଛି।
ତେବେ କେଉଁ କାରଣ ପାଇଁ ଡମ୍ବୁରୁଧର ହତ୍ୟାର ଶିକାର ହୋଇଛନ୍ତି ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ପୋଲିସ ଏ ଦିଗରେ ତଦନ୍ତ ଜାରି ରଖିଛି। ସେହିପରି ମୃତକଙ୍କ ପରିବାର ଲୋକ ମଧ୍ୟ ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।