ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ

ଭୁବନେଶ୍ୱର: ଏଣିକି ହାଇସ୍କୁଲରେ ଯୋଡ଼ି ହେବ ଯୁକ୍ତ ଦୁଇ। ଅର୍ଥାତ ଗୋଟିଏ ସ୍କୁଲରେ ଦଶମ ବା ମାଟ୍ରିକ ଶ୍ରେଣୀ ପାସ୍ କରିବା ପରେ ଯୁକ୍ତ ଦୁଇ ପାଠ ପଢ଼ି ହେବ। ଏପରି ବ୍ୟବସ୍ଥା କରିବାକୁ ଯାଉଛନ୍ତି ଓଡ଼ିଶା ସରକାର। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଅର୍ଥାତ୍ ସିବିଏସଇରେ ଯେପରି ସ୍କୁଲ ଗୁଡିକରେ ଯୁକ୍ତ ଦୁଇ ରହିଛି ସେହିପରି ଓଡିଆ ମିଡିଅମରେ ହେବାକୁ ଯାଉଛି।
୨୦୨୩-୨୪ ଶିକ୍ଷାବର୍ଷରୁ ରାଜ୍ୟର ୪୦ଟି ସ୍କୁଲରେ ଦଶମ ଓ ଯୁକ୍ତ ଦୁଇ ପାଠ ପଢ଼ା ଆରମ୍ଭ ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ପ୍ରାଥମିକ ଭାବେ ପାଖ କଲେଜଠାରୁ ସ୍କୁଲର ଦୂରତା, ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଭିତ୍ତିଭୂମିକୁ ଦେଖି ୪୦ଟି ସ୍କୁଲରେ ଉନ୍ନତିକରଣ କାମ ଆରମ୍ଭ ହେବ। 5T ସ୍କୁଲ ଅଧୀନରେ ରାଜ୍ୟର ଅନେକ ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରାଯାଉଛି । ତେଣୁ ଭିତ୍ତିଭୂମି ଏକ ପ୍ରମୁଖ ପ୍ରତିବନ୍ଧକ ହେବ ନାହିଁ ବୋଲି ସରକାର ଆଶା କରୁଛନ୍ତି ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଚିହ୍ନଟ ହୋଇଥିବା ସ୍କୁଲ ଗୁଡ଼ିକରେ ଆସନ୍ତା ଶିକ୍ଷାବର୍ଷରୁ ଯୁକ୍ତ ଦୁଇ ଶ୍ରେଣୀ ଯାଏ ପାଠ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ସମସ୍ତ ସୁବିଧା ସୁଯୋଗ ସୁନିଶ୍ଚିତ କରାଯିବ। ଅଧ୍ୟାପକଙ୍କ ଭଳି ଶିକ୍ଷାଦାନ ଏବଂ ଅନ୍ୟାନ୍ୟ ଆବଶ୍ୟକତା ବିଷୟରେ ସମୀର ଦାଶ କହିଛନ୍ତି ଯେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି।
ସରକାର ୫୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଇସାରିଛନ୍ତି ଏବଂ ଏହାବ୍ୟତୀତ ଆଗାମୀ ଶିକ୍ଷାବର୍ଷ ପୂର୍ବରୁ ଟ୍ରାନ୍ସଫର୍ମେସନ ଇନିସିଏଟିଭ୍ ଅଧୀନରେ ଆବଶ୍ୟକ ପଦବୀ ପୂରଣ ପାଇଁ ଉଚ୍ଚଶିକ୍ଷା ଶିକ୍ଷକ ଓ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦେବା ପାଇଁ ମଧ୍ୟ ବିଚାର କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।