ଝାରସୁଗୁଡା ଜିଲ୍ଲାର କୁଲାବିରା ଓ ଲଇକେରା ବ୍ଲକକୁ ଆଇଟିଡିଏସ ବ୍ଲକ ଘୋଷଣା ଦାବି
ଝାରସୁଗୁଡା: ଜିଲ୍ଲାର କୁଲାବିରା ଓ ଲଇକେରା ବ୍ଲକକୁ ଆଇଟିଡିଏସ ବ୍ଲକ ଘୋଷଣା କରାଯାଉ ବୋଲି ଆଦିବାସୀ ସଂଗଠନ ପକ୍ଷରୁ ଅନେକଥର ଦାବି କରୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଏହାକୁ ବିରୋଧ କରି ଝାରସୁଗୁଡାରେ ଆଦିବାସୀମାନେ ପାରମ୍ପରିକ ନୃତ୍ୟ ଶୋଭାଯାତ୍ରାରେ ସାମିଲ ହୋଇ ଜିଲ୍ଲାପାଳ ଅଫିସରେ ପହଁଞ୍ଚିଥିଲେ। ଜିଲ୍ଲାପାଳଙ୍କୁ ଏହି ଅବସରରେ ଦାବିପତ୍ର ଦେଇ ଆଇଟିଡିଏସ ବ୍ଲକ ଭାବେ ଘୋଷଣା କରିବା ପାଇଁ ଦାବି କରିଛନ୍ତି।
ଜିଲ୍ଲା ଆଦିବାସୀ ସଂଗଠନର ଆବାହକ ମହେନ୍ଦ୍ର ନାଏକ କହିଛନ୍ତି, 2011ରୁ ଆଇଟିଡିଏସ ଘୋଷଣା କରିବାର ଥିଲା। କିନ୍ତୁ ସମ୍ମିଳିତ ଆଦିବାସୀଙ୍କ ନଜରକୁ ଏହା 2016ରେ ଆସିଥିଲା। ଆଉ ଏହି ଦୁଇଟି ବ୍ଲକକୁ ଆଇଟିଡିଏସ ମାନ୍ୟତା ଦେବାକୁ ଦାବି କରି ଆସୁଛି। 2017 ନଭେମ୍ବର 6ରେ ରାଜ୍ୟ ସରକାର ବିଧିବଦ୍ଧ ପ୍ରସ୍ତାବ କେନ୍ଦ୍ରକୁ ଦେଇଛନ୍ତି। ହେଲେ ଏଯାବତ କେନ୍ଦ୍ର ସରକାର ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହାପରେ ଆଦିବାସୀ ସମାଜ ହାଇକୋର୍ଟ ଯାଇଛି। କୋର୍ଟ ଏବେ ସେପ୍ଚେମ୍ବର 2ରେ ରାୟ ଶୁଣାଇଛନ୍ତି। ଆଉ ତିନି ମାସ ମଧ୍ୟରେ ଡିସେମ୍ବର 21 ସୁଦ୍ଧା ଦାବି ପୂରଣ ହେବ ବୋଲି ସେ କହିଛନ୍ତି। ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ନିକଟକୁ ଦାବି ପତ୍ର ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।