୫ ତାରିଖ ପରେ ଆଉ ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଲଗାଣ ବର୍ଷା ଓ ଲଘୁଚାପ ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟାରୁ ଓଡ଼ିଶା ଏଯାଏଁ ମୁକୁଳି ପାରି ନଥିବା ବେଳେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ଦିନ ଏକ ବିଜ୍ଞପ୍ତି ଜାରି କରିଛି । ଯେଉଁଥିରେ ପୂର୍ବାନୁମାନ କରି କୁହାଯାଇଛି ଯେ ସେପ୍ଟେମ୍ବର 5 ପରେ ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ/ଲଘୁ ଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
ସ୍ୱାଭାବିକ ସ୍ଥିତିର ଉତ୍ତରରେ ଥିବା ଟ୍ରଫ୍ ଲାଇନ୍ ସେପ୍ଟେମ୍ବର ୫ ଯାଏ ରହିବ। ଏହା ପରେ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ବା ଲଘୁଚାପ ସୃଷ୍ଟି ସହିତ ଦକ୍ଷିଣ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ସେପ୍ଟେମ୍ବର ୫ ଯାଏ ଦେଶରେ ଦୁର୍ବଳ ମୌସୁମୀ ସ୍ଥିତି ଜାରି ରହିବ ବୋଲି ଆଇଏମଡି କହିଛି । ଉତ୍ତର-ପୂର୍ବାଞ୍ଚଳରେ ବର୍ଷାର ଗତିବିଧି ବୃଦ୍ଧି ପାଇବ ଏବଂ ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ଏବଂ ଉତ୍ତର ଉପଦ୍ୱୀପୀୟ ଭାରତରେ ବର୍ଷାର ଗତିବିଧି ବୃଦ୍ଧି ପାଇବ।
ସେପଟେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସେପ୍ଟେମ୍ବର 4 ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଚ ଜାରି କରାଯାଇଛି।
ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି,, ସୁନ୍ଦରଗଡ଼, ଦେବଗ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା ଓ ସୋନପୁର ଜିଲ୍ଲାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।