ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ଦେଲେ ଏସଆରସି

ଭୁବନେଶ୍ୱର: ବନ୍ୟା ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି, ପ୍ରାଥମିକ ସୂଚନା ଅନୁଯାୟୀ ବନ୍ୟା ଯୋଗୁଁ ୧୩ଟି ଜିଲ୍ଲାର ୭୧ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୦୬୬ଟି ଗ୍ରାମ ପ୍ରଭାବିତ ହୋଇଛି । ବନ୍ୟାରେ ୪୭୦ ଟି ଗ୍ରାମ ଜଳବନ୍ଦୀରେ ରହିଥିବାବେଳେ ୨ ଲକ୍ଷ ୫୫ ହଜାର ୩୨୫ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଏବଂ ପ୍ରାୟ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଅଞ୍ଚଳରେ ୧୯୦ ଟି ରିଲିଫ୍ କେନ୍ଦ୍ରରେ ୧ ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଦ୍ୱାରା ଅନେକ ବାସଗୃହ କ୍ଷତିଗ୍ରସ୍ତ ହେବା ସହିତ ବହୁତ ଚାଷ ଜମି ଜଳମଗ୍ନ ହୋଇଛି।
ପ୍ରଭାବିତ ଲୋକମାନଙ୍କୁ ଆବଶ୍ୟକ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଅଛି । ୧୧ ଟି ଏନ୍ଡିଆର୍ଏଫ୍, ୧୨ ଟି ଓଡ୍ରାଫ୍ ଏବଂ ୫୨ ଟି ଅତିରିକ୍ତ ଅଗ୍ନିଶମ ସେବା ବାହିନୀ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପ୍ରଭାବିତ ଅଞ୍ଚଳରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୧୦ ଟି ଭ୍ରାମ୍ୟମାଣ ଆର୍ଓ ୱାଟର ପ୍ଲାଣ୍ଟ ଜରିଆରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଉଅଛି।