ପଶ୍ଚିମ ଓଡ଼ିଶାକୁ କୋଶଳ ରାଜ୍ୟ ଗଠନ ଦାବି

ଝାରସୁଗୁଡ଼ା: ପଶ୍ଚିମ ଓଡିଶାକୁ ସ୍ବତନ୍ତ୍ର କୋଶଳ ରାଜ୍ୟ ଘୋଷଣା ଦାବିରେ କୋଶଳ ସେନା ପକ୍ଷରୁ ବୁଧବାର ଝାରସୁଗୁଡ଼ାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଝାରସୁଗୁଡ଼ା ବସଷ୍ଟାଣ୍ଡ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଆନ୍ଦୋଳନକାରୀ ମାନେ ପଦଯାତ୍ରାରେ କରିଥିଲେ। ଝାରସୁଗୁଡ଼ା ଜିଲ୍ଲା ଖଣି ଓ ଶିଳ୍ପରେ ଭରି ରହିଥିଲେ ମଧ୍ୟ ଅନେକ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀ ବେକାର ହୋଇ ରହିଥିବା ଅଭିଯୋଗ କରିଛି କୋଶଳ ସେନା। ସେମାନଙ୍କୁ ଶୀଘ୍ର ନିଯୁକ୍ତି ଦେବାପାଇଁ ଦାବି କରାଯାଇଛି।
କୋଶଳ ସେନାର ସାଧାରଣ ସମ୍ପାଦକ ବିମଲ ମହାକୁଡ଼ କହିଛନ୍ତି, ଝାରସୁଗୁଡ଼ାରେ ଅନେକ ଖଣି ଓ କଳ କାରଖାନା ରହିଛି । ଏହାପରେ ବି ରାଜ୍ୟ ସରକାର ଝାରସୁଗୁଡା ଜିଲ୍ଲାକୁ ଗୁରୁତ୍ୱ ଦେଉନାହାନ୍ତି। କିନ୍ତୁ କଳକାରଖାନା ଯୋଗୁଁ ସହର ପ୍ରଦୂଷିତ ହେଉଛି। ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ଏହି ସବୁ ସମସ୍ୟାର ସମାଧାନ ହେବା ଦରକାର। ସମଗ୍ର ପଶ୍ଚିମ ଓଡ଼ିଶାକୁ ସ୍ୱତନ୍ତ୍ର କୋଶଳ ରାଜ୍ୟର ମାନ୍ୟତା ନଦେଲେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ।
ଆଗାମୀ ୧୫ ଦିନରେ ଝାରସୁଗୁଡ଼ାର ବେକାର ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ନମିଳିଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କୋଶଳ ସେନାର ଜିଲ୍ଲା ସଭାପତି ଗଣେଶ ମୋଟାରୀ ଚେତାବନୀ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ କୋଶଳ ସେନାର ଜିଲ୍ଲା ସଭାପତି ଗଣେଶ ମୋଟାରୀ ଏବଂ ସାଧାରଣ ସମ୍ପାଦକ ବିମଲ ମହାକୁଡ଼ଙ୍କ ସହ ଅନେକ କର୍ମୀ ଯୋଗ ଦେଇଥିଲେ।