ରାଇସିନା ହିଲରେ ବସିବେ ରାଇରଙ୍ଗପୁରର ଝିଅ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ପଞ୍ଚଦଶତମ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିପକ୍ଷ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁୁ ସେ ହରାଇଛନ୍ତି। ନିର୍ବିବାଦୀୟ ଭାବମୂର୍ତ୍ତି ଥିବା ଦ୍ରୌପଦୀ ମୁର୍ମୁ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ।
ଦ୍ରୌପଦୀ ମୁର୍ମୁ ତୃତୀୟ ରାଉଣ୍ଡ ଭୋଟ୍ ଗଣନା ଶେଷ ବେଳକୁ ମୋଟ ଭୋଟର ୬୯ ପ୍ରତିଶତ ଭୋଟ ପାଇଥିଲେ। ସେ ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି।
ବିରୋଧୀ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନା ଚୂଡାନ୍ତ ନିର୍ବାଚନ ଫଳାଫଳ ପୂର୍ବରୁ ଟ୍ୱିଟ୍ କରି ତାଙ୍କ ପ୍ରତିପକ୍ଷା ତଥା ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଆଶା ରଖିଛନ୍ତି, ୧୫ତମ ରାଷ୍ଟ୍ରପତି ବିନା ଭୟ ଓ ପକ୍ଷପାତିତାରେ ନିଜର ଦାୟିତ୍ୱ ନିର୍ବାହ କରିବେ।
ଯଶଓ୍ୱନ୍ତ ସିହ୍ନା ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କୁ ପ୍ରାର୍ଥୀ କରିଥିବାରୁ ବିରୋଧୀ ଦଳଗୁଡ଼ିକୁ କୃତଜ୍ଞତା ଜଣାଇଛନ୍ତି।
ବିଦାୟୀ ରାଷ୍ଟ୍ରପତି ରାମନଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଟ୍ୱିଟ୍ କରି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଟ୍ୱିଟ୍ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ କହିଛନ୍ତି, ଭାରତ ଇତିହାସ ରଚିଛି। ୧୩୦ କୋଟି ଭାରତୀୟ ଯେତେବେଳେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛନ୍ତି, ସେତେବେଳେ ଆଦିବାସୀ ସଂପ୍ରଦାୟରେ ଜନ୍ମିତ ଭାରତର ଝିଅ ଦେଶର ରାଷ୍ଟ୍ରପତି ହୋଇଛନ୍ତି।
‘ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଓ ସଂଘର୍ଷ ସମସ୍ତ ଭାରତୀୟଙ୍କ ପାଇଁ ପ୍ରେରଣାଦାୟୀ। ଭାରତବାସୀଙ୍କ ପାଇଁ ସେ ଏକ ନୂଆ ଆଶାର କିରଣ। ବିଶେଷ କରି ଗରିବ ଓ ଦଳିତଙ୍କ ପାଇଁ ସେ ପ୍ରେରଣାର ଉତ୍ସ। ସେ ଜଣେ ଭଲ ମନ୍ତ୍ରୀ ଓ ବିଧାୟକ ଥିଲେ। ଝାଡଖଣ୍ଡ ରାଜ୍ୟପାଳ ଭାବେ ତାଙ୍କର କାର୍ଯ୍ୟକାଳ ବହୁତ ଭଲ ଥିଲା। ଆଗାମୀ ଦିନରେ ସେ ନିଶ୍ଚିତ ଯେ ଜଣେ ଚମତ୍କାର ରାଷ୍ଟ୍ରପତି ହେବେ ଯିଏ ଦେଶର ବିକାଶ ଯାତ୍ରାକୁ ଆଗକୁ ନେବେ’। ଏଥିସହ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିବା ସମସ୍ତ ସାଂସଦ ଓ ବିଧାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ମୋଦୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଛା ଜଣାଇଛନ୍ତି। ଦ୍ରୌପଦୀ ମୁର୍ମୁ ବିଜୟ ହେବା ସାରା ଓଡିଶା ପାଇଁ ଗର୍ବର ବିଷୟ ବୋଲି ନବୀନ ଟ୍ୱିଟ୍ କରି କହିଛନ୍ତି।