?????

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଦୀପ ପୁରୋହିତ

ବ୍ରଜରାଜନଗର: ଖରା ଦିନରେ ଓଡିଶା ପଟରେ ମହାନଦୀ ଶୁଖିଲା ପଡିଛି । ଅଣ ମୌସୁମୀ ସମୟରେ ମହାନଦୀରେ ଯେଉଁ ଜଳ ପ୍ରବାହ ରହିବା କଥା, ତାହା ନ ରହିବା ଚିନ୍ତାଜନକ ବିଷୟ । ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବା କାରଣରୁ ରାଜ୍ୟ ସରକାର କେବଳ ଚୁପ ବସିଲେ ହେବନାହିଁ । ରାଜ୍ୟ ସରକାର ଷ୍ଟେକ୍ ହୋଲଡରଙ୍କ ସହ କଥାବାର୍ତା କରି ଓଡିଶାରେ ମହାନଦୀରେ ଜଳ ପ୍ରବାହକୁ ଅବ୍ୟାହତ ରଖିବା ପାଇଁ ବ୍ୟବସ୍ଥା କରିବା ଜରୁରୀ ବୋଲି ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ ।

ପୁରୋହିତ କହିଛନ୍ତି ଯେ ମହାନଦୀ ଜଳ ବିବାଦକୁ ନେଇ ନିର୍ବାଚନ ପୂର୍ବରୁ ନାରାବାଜି କରୁଥିବା ବିଜେଡି ଓଡିଶାର ସ୍ୱାର୍ଥ ରକ୍ଷା ପ୍ରସଙ୍ଗରେ ଏବେ ନିରବଦ୍ରଷ୍ଟା କାହିଁକି? ଶାସକ ଦଳ ବିଜେଡି ୨୦୧୬ ମସିହା ଠାରୁ ୨୦୧୭ ତ୍ରିସ୍ତରୀୟ ପଂଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ମହାନଦୀ ଜଳ ବିବାଦକୁ ନିର୍ବାଚନୀ ପ୍ରସଙ୍ଗ କରିଥିଲା । ମାତ୍ର ନିର୍ବାଚନୀ ବୈତରଣୀ ପାର୍ କରିବା ପରେ ଏହାକୁ ଭୁଲି ଗଲେ । ଟ୍ରିବ୍ୟୁନାଲ ଗଠନ ପରେ ରାୟ ଆସିବାରେ ସମୟ ଲାଗିପାରେ । କେବଳ ଟ୍ରିବ୍ୟୁନାଲ ଉପରେ ଭରସା କଲେ ଖରା ଦିନେ ଜଳ ପାଇଁ ଓଡିଶାର ସ୍ୱାର୍ଥ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବେଦାନ୍ତ  ମାମଲା ହେଉ କିମ୍ବା କେନ୍ଦୁଝର ଜିଲ୍ଲାପାଳ ଏସଟି କମିଶନରେ ହାଜର ନ ହେବା ନେଇ ବଡ ଓକିଲ ରାଜ୍ୟ ସରକାର ନିଯୁକ୍ତ କରୁଛନ୍ତି । କିନ୍ତୁ ଟ୍ରିବ୍ୟୁନାଲରେ ଲଢିବା ପାଇଁ ସରକାର ବଡ ଓକିଲ କାହିଁକି ନିଯୁକ୍ତ କରୁନାହାନ୍ତି? ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ଭୋଟ୍ ବ୍ୟାଙ୍କ୍ ରାଜନୀତି କରୁଛି ।

ଅପରପକ୍ଷରେ ଟ୍ରିବ୍ୟୁନାଲ ରାୟ ସାଧାରଣତଃ ଲମ୍ବା ସମୟ ପର୍ଯ୍ୟନ୍ତ ବିଳମ୍ବିତ ହେଉଥିବା କାରଣରୁ ଅଣ ମୌସୁମୀ ସମୟରେ ଓଡିଶାକୁ ପୂର୍ବ ଦଶନ୍ଧି ମାନଙ୍କ ପରି ଜଳ ପ୍ରବାହ ଆଗାମୀ ବର୍ଷ ମାନଙ୍କରେ କିପରି ଚାଲୁ ରହିବ ରାଜ୍ୟ ସରକାର ସେଥିପାଇଁ ଆପୋଷ ଆଲୋଚନାର ରାସ୍ତାକୁ ଆପଣାଇବା ଭଳି ଦେଖାଯାଉ ନାହିଁ । ଛତିଶଗଡ ପଟୁ ଆସୁଥିବା ମହାନଦୀର ପାଣି ସହ ଓଡିଶାର କେତୋଟି ଅଂଚଳର ଜଳ ସେଚନ ଓ ପାନୀୟ ଜଳର ସମ୍ବନ୍ଧ ଅଛି ରାଜ୍ୟ ସରକାର ତାହାର ସ୍ପଷ୍ଟୀକରଣ ରଖନ୍ତୁ । ହୀରାକୁଦର ତଳ ମୁଣ୍ଡରେ ୫ଟି ରିଜରଭର ନିର୍ମାଣର ପ୍ରତିଶ୍ରୁତିର ଅଗ୍ରଗତି ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖିବା ପାଇଁ ପୁରୋହିତ ଦାବୀ କରିଛନ୍ତି ।

ହୀରାକୁଦର ତଳ ମୁଣ୍ଡରେ ତେଲ, ଇବ ଓ ହାତୀ ଆଦି ନଦୀରୁ ଆରମ୍ଭ କରି ତଳମୁଣ୍ଡରେ କାଠଯୋଡି, ଦେବୀ ଓ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ଲମ୍ବିଥିବା ବିଭିନ୍ନ ଶାଖା ନଦୀ ଗୁଡିକରେ ବର୍ଷା ଦିନେ ସମୁଦ୍ରକୁ ବହିଯାଉଥିବା ପାଣିକୁ ସୁବିନିଯୋଗ କରି ଅଣ ମୌସୁମୀ ସମୟରେ ଚାଷୀଙ୍କ କାମରେ ଲଗାଇବା ପାଇଁ କଣ ବ୍ୟବସ୍ଥା ହୋଇଛି ? ରାଜ୍ୟ ସରକାର, ଏହାର ଉତର ରଖନ୍ତୁ ।

ଓଡିଶାର ସ୍ୱାର୍ଥ ପାଇଁ ପାରମ୍ପରିକ ପାଣିର ସ୍ରୋତକୁ ବର୍ଷ ବର୍ଷ ଧରି ଚାଲୁ ରଖିବା ପାଇଁ ଓଡିଆଙ୍କ ଦାବି ରହିଛି । ଏହି ଦାବୀକୁ ସମାଧାନ କରିବା ପାଇଁ ବିଜେପି ପ୍ରତିଟି ବିଷୟକୁ ସାମନା କରିବାକୁ ପ୍ରସ୍ତୁତ । ସାରା ରାଜ୍ୟରେ ଏବେ ଜଳ ସମସ୍ୟା । ଲୋକେ ପିଇବା ପାଣି ପାଉନାହାନ୍ତି । ଚାଷୀ ପାଣି ନ ପାଇ ଦୁର୍ଦ୍ଦଶାରେ । ମହିଳା ମାନେ ପାଣି ଅଭାବରୁ ହାଣ୍ଡି, ମାଠିଆ ଭାଙ୍ଗୁଛନ୍ତି । ଦୁର୍ଗମ ଅଂଚଳରେ ପାଣି ପାଇଁ ହାହାକାର ପଡ଼ିଛି । ଅଘୋଷିତ ବିଦ୍ୟୁତ କାଟ ଏବେ ଲୋକଙ୍କ ଚିନ୍ତା ବଢାଇଦେଇଛି । ଏପରି ସ୍ଥିତିରେ ସରକାର ଚୁପ ବସିଛନ୍ତି, ଯାହା ଚିନ୍ତାଜନକ ବୋଲି ପୁରୋହିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Related Articles

Leave a Reply

Back to top button
error: Content is protected !!