ପେଟ୍ରୋଲ, ଡିଜେଲ ସହିତ ବଢିଲା ରୋଷେଇ ଗ୍ୟାସ ସିଲିଣ୍ଡର ଦାମ୍
ଭୁବନେଶ୍ୱର: ସରିଲା ପାଞ୍ଚ ରାଜ୍ୟର ବିଧାନସଭାର ନିର୍ବାଚନ । ବଢିଲା ରୋଷେଇ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଦାମ । ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଆଜିଠୁ ଲାଗୁ ହୋଇଛି ନୂଆ ଦର । ଫଳରେ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୯୨୬ରୁ ବଢ଼ି ୯୭୬ ଟଙ୍କା ହୋଇଛି ।
ସେହିପରି ପେଟ୍ରୋଲ ଓ ଡିଜେଲ୍ ଦାମରେ ୮୦ ପଇସା ବୃଦ୍ଧି ହୋଇଛି । ଆଜିଠୁ ଲାଗୁ ହୋଇଛି ବର୍ଦ୍ଧିତ ଦର । ଭୁବନେଶ୍ୱରରେ ପେଟ୍ରୋଲ୍ ଦାମ୍ ଲିଟର ପିଛା ୧୦୨ ଟଙ୍କା ୬୬ ପଇସା ଓ ଡିଜେଲ୍ ଦାମ୍ ୯୨ ଟଙ୍କା ୪୮ ପଇସା ହୋଇଛି ।
୨୦୨୧ ଅକ୍ଟୋବର ୬ ତାରିଖରେ ଦେଶରେ ଶେଷ ଥର ବଢ଼ିଥିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ । ଦିଲ୍ଲୀରେ ଘରୋଇ ସିଲିଣ୍ଡର ଦାମ ପୂର୍ବରୁ ୮୯୯.୫୦ ଟଙ୍କା ଥିଲା । ଏବେ ୯୪୯.୫୦ ଟଙ୍କାରେ ପହଞ୍ଚିଛି । ଦୀର୍ଘ ଦିନର ବ୍ୟବଧାନ ପରେ ଏକାସଙ୍ଗେ ପେଟ୍ରୋଲ, ଡିଜେଲ ଓ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ ବଢ଼ିଥିବାରୁ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି । ଆଗକୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ଦର ବଢ଼ିବା ଆଶଙ୍କା।