ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କରୋନାରେ ସଂକ୍ରମିତ

0
471

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କରୋନାରେ ସଂକ୍ରମିତ ହୋଇଛନ୍ତି । ଏ ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ପାଖରେ କିନ୍ତୁ କରୋନାର ଲକ୍ଷଣ ନାହିଁ ବୋଲି ଜଣାପଡିଛି । ସେ ସଙ୍ଗରୋଧରେ ରହିଛନ୍ତି ଏବଂ ସୁସ୍ଥ ଅଛନ୍ତି ବୋଲି ସୂଚନା ଦେଇଛନ୍ତି । ଅନ୍ତିମ ତିନି ଦିନ ଭିତରେ ଯେଉଁମାନେ ତାଙ୍କ ସଂର୍ଶସରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରାଇନେବା ଦରକାର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଦେଶରେ ଏବଂ ରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମଣ ପୂର୍ବଦିନର ରେକର୍ଡ ଭାଙ୍ଗୁଛି । ଦେଶରେ ଏବେ କରୋନାର ତୃତୀୟ ଲହର ଆସିଛି ବୋଲି ଜଣାପଡିଛି । ତେଣୁ ଅଧିକାଂଶ ଏବେ କରୋନା ଜାଲରେ ଛନ୍ଦି ହୋଇ ଯାଉଛନ୍ତି । ସମସ୍ତଙ୍କୁ ମାସ୍କ ଏବଂ ସାମାଜିକ ଦୂରତା ଅବଲମ୍ବନ କରିବାକୁ ସତର୍କ କରାଯାଉଛି । ହେଲେ ଅନେକାଂଶରେ ଏହି ନିୟମକୁ କେହି ମାନୁନଥିବା ଜଣାପଡିଛି । ସେହିପରି ଏବେର କରୋନା ସଂକ୍ରମଣକୁ କପଡା ମାସ୍କ ସୁରକ୍ଷା ଦେଇପାରୁନି । ତେଣୁ ସମସ୍ତେ ଏନ-୯୫ ମାସ୍କ ବ୍ୟବହାର କରିବା ଆବଶ୍ୟକ ରହିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୭୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୭୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମଣରୁ ୧୧୨୪ ଜଣ ପଜିଟିଭ ଚିହ୍ନଟ । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ୍କ ୪୦୯ ଜଣ ଶିଶୁ ଓ କିଶୋର ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୨୬ ଜଣ ଆକ୍ରାନ୍ତ ରହିଥିବା ସୂଚନା ଓ ଲୋକସଂପର୍କ ବିଭାଗ କହିଛି ।